ବିବାହ ପାଇଁ ଉଛନ ଯୁବକଙ୍କୁ ଫସାଇ ଲୁଟିନେଉଥିବା ବୋହୂ ଗିରଫ

ଭରତପୁର(ରାଜସ୍ଥାନ): ପ୍ରଥମେ ବିବାହ, ଏହା ପରେ ଶାଶୁଘରୁ ଲୁଟ | ଏଭଳି ଏକ ବୋହୂକୁ ଗିରଫ କରିଛି ରାଜସ୍ଥାନ ପୁଲିସ | ମିଳିଥିବା ସୂଚନା ମୁତାବକ ଗିରଫ ହୋଇଥିବା ମହିଳା ଜଣକ ନଭେମ୍ବର ୧୩ ତାରିଖ ରାତିରେ ନିଜ ଶ୍ୱଶୁରଘର ସଦସ୍ୟଙ୍କୁ ଖାଦ୍ୟରେ ନିଶା ଦ୍ରବ୍ୟ ମିଶାଇ ବେହୋସ କରିଦେଇଥିଲା | ଏହା ପରେ ଘରେ ଥିବା ସୁନା ଅଳଙ୍କାର ଧରି ଚମ୍ପଟ ମାରିଥିଲା | ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ କରି ଏହି ମହିଳାଙ୍କୁ ସୋମବାର ଦିନ ଗିରଫ କରିଛି | ପୁଲିସ ପକ୍ଷରୁ କୁହାଯାଇଛି ଯେ ଏହି ମହିଳା ଜଣକ ପୂର୍ବରୁ ବିବାହିତ ହୋଇଥିବାବେଳେ ତାଙ୍କର ଏକ ଗ୍ୟାଙ୍ଗ ରହିଛି |

Photo-AAjtak

ଯେଉଁ ଯୁବକମାନେ ବିବାହ କରିବାକୁ ଉଛନ୍ନ ହେଉଥିଲେ ଏହି ଗ୍ୟାଙ୍ଗର ସଦସ୍ୟମାନେ ସେମାନଙ୍କୁ ଟାର୍ଗେଟ କରୁଥିଲେ | ଗ୍ୟାଙ୍ଗର ସଦସ୍ୟମାନେ ଯୁବକଙ୍କ ପରିବାର ସଦସ୍ୟଙ୍କ ପାଖରୁ ବୋହୂ ବାବଦରେ ଟଙ୍କା ମଧ୍ୟ ଆଦାୟ କରୁଥିଲେ | ଏହା ପରେ ଧୂମଧାମରେ ବାହାଘର ପରେ ମହିଳାଜଣକ ସେହିଦିନ ରାତିରେ ସମସ୍ତଙ୍କୁ ଖାଦ୍ୟରେ ନିଶା ଦ୍ରବ୍ୟ ମିଶାଇ ବେହୋସ କରିଦେଉଥିଲେ |

ରାତାରାତି ସମସ୍ତ ସୁନା ଗହଣା ନେଇ ଫେରାର ହୋଇଯାଉଥିଲେ | ଏହି ଗ୍ୟାଙ୍ଗର ସଦସ୍ୟଙ୍କ ପାଖରୁ ପୁଲିସ ପାଖାପାଖି ୧୦ ଲକ୍ଷ ଟଙ୍କା ସମେତ ଲକ୍ଷ ଲକ୍ଷ ଟଙ୍କାର ସୁନାଗହଣା ଜବତ କରିଛି | ଗିରଫ ହୋଇଥିବା ମହିଳାଙ୍କ ନାମ ଅଞ୍ଜଳି ଓରଫ ମମତା ହୋଇଥିବାବେଳେ ତାଙ୍କର ଘର ହରିୟାଣା ବୋଲି ପୁଲିସ କହିଛି | ଅନ୍ୟପଟେ ପ୍ରତି ବାହାଘର ପିଛା ତାକୁ ୨୪ ହଜାର ଟଙ୍କା ମିଳିଥାଏ ବୋଲି ମମତା କହିଛି |

ସମ୍ବନ୍ଧିତ ଖବର