୨୦ ବର୍ଷୀୟ ଝିଅର ଫଟୋ ଦେଖାଇ ୪୫ ବର୍ଷୀୟ ମହିଳା ସହ କରାଉଥିଲେ ବିବାହ, ଥାନାରେ ପହଞ୍ଚିଲେ ବର

ଲଖନଉ: ୨୦ ବର୍ଷୀୟ ଝିଅର ଫଟୋ ଦେଖାଇ ୪୫ ବର୍ଷୀୟ ମହିଳାଙ୍କ ସହ କରାଉଥିଲେ ବିବାହ | ଆଉ ଏ ବାବଦରେ ଜାଣିବା ପରେ ବର ଥାନାରେ ଏନେଇ ଅଭିଯୋଗ କରିଛନ୍ତି | ଉତ୍ତରପ୍ରଦେଶର ଇଟାୱାର ସିଭିଲ ଲାଇନ ଥାନାରେ ଏନେଇ ଜଣେ ବର ଅଭିଯୋଗ କରିଛନ୍ତି | ବର ଶତ୍ରୁଘ୍ନ ସିଂହଙ୍କ କହିବା ମୁତାବକ, ତାଙ୍କୁ ପ୍ରତାରଣା କରାଯାଇଛି। ବିବାହ ପାଇଁ ଜଣେ ୨୦ ବର୍ଷୀୟ ଝିଅର ଫଟୋ କନ୍ୟା ଘର ପକ୍ଷରୁ ଦେଖାଯାଇଥିଲା | ଫଟୋ ଦେଖି ଶତ୍ରୁଘ୍ନ ବିବାହ ପାଇଁ ରାଜି ହୋଇଥିଲେ | ତେବେ କେବଳ ଫଟୋ ନୁହେଁ ବରଂ ଅଗଷ୍ଟ ୧୯ ତାରିଖରେ ସେହି ୨୦ ବର୍ଷୀୟ ଝିଅ ଓ ଶତ୍ରୁଘ୍ନ ପରସ୍ପରକୁ ଏକ ମନ୍ଦିରରେ ଭେଟିଥିଲେ |

ଆଉ ସେ କନ୍ୟାଙ୍କୁ ପ୍ରଥମ ଥର ଦେଖିଥିବାରୁ ୧୫ ହଜାର ଟଙ୍କା ଉପହାର ଭାବେ ଦେଇଥିଲେ | ପରେ ବିବାହ ପାଇଁ ଲଗ୍ନ ସ୍ଥିର କରାଯାଇଥିଲା | ତେବେ ଗତକାଲି(ଶୁକ୍ରବାର) ଦିନ ବିବାହ ସ୍ଥିର ହୋଇଥିଲା | ଶୁକ୍ରବାର ଦିନ ସିଭିଲ୍ ଲାଇନ୍ ଅଞ୍ଚଳରେ ଥିବା କାଳୀ ମାତା ମନ୍ଦିରରେ ଏହି ବିବାହ ହେବାର ଥିଲା। ସନ୍ଧ୍ୟାରେ ଶତ୍ରୁଘ୍ନ ନିଜ ପରିବାର ସହିତ ମନ୍ଦିରରେ ପହଞ୍ଚିଥିଲେ | ଆଉ ଯେତେବେଳେ ବିବାହ ଆରମ୍ଭ ହୋଇଥିଲା ସେତେବେଳେ ଜଣେ ୪୫ ବର୍ଷୀୟ ମହିଳାଙ୍କୁ କନ୍ୟା ବେଶରେ ସଜେଇ ଅଣାଯାଇଥିଲା |

ଏବାବଦରେ ଜାଣିବା ପରେ ବର ଘର ପକ୍ଷରୁ ବିବାହ ପାଇଁ ମନା କରାଯାଇଥିଲା | ଏହା ପରେ କନ୍ୟାଘର ପକ୍ଷରୁ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିବାର ଶତ୍ରୁଘ୍ନ ଅଭିଯୋଗ କରିଛନ୍ତି | ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି | ଏହି ଘଟଣାକୁ ନେଇ ଥାନା ଅଧିକାରୀ ଜିଭାରାମ ଯାଦବ କହିଛନ୍ତି ଯେ ଅଭିଯୋଗ ଆଧାରରେ ମାମଲାର ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର