ଠକାମିର ଶିକାର ହେଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହଙ୍କ ପତ୍ନୀ, ଆକାଉଣ୍ଟରୁ ଚାଲିଗଲା ୨୩ଲକ୍ଷ ଟଙ୍କା

ନୂଆଦିଲ୍ଲୀ : ପଞ୍ଜାବରେ ସାଇବର କ୍ରାଇମ୍‌କୁ ନେଇ ଏକ ବଡ଼ ମାମଲା ସାମ୍ନାକୁ ଆସିଛି । ଅପରାଧୀମାନଙ୍କ ସାହାସ ଦିନକୁ ଦିନ ବଢ଼ିବାକୁ ଲାଗୁଥିବା ଦେଖା ଯାଇଛି । ପୂର୍ବରୁ ସାଧାରଣ ଲୋକ ଠକାମିର ଶିକାର ହେଉଥିବା ଖବର ମିଳୁଥିଲା । ଏବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହଙ୍କ ପତ୍ନୀ ତଥା ସାଂସଦ ପରଣୀତ କୌର୍‌ ଠକାମିର ଶିକାର ହୋଇଥିବା ଜଣା ପଡ଼ିଛି । ସାଂସଦ ପରଣୀତ କୌର୍‌ ୨୩ଲକ୍ଷ ଟଙ୍କାର ଅନ୍‌ଲାଇନ ଠକାମିର ଶିକାର ହୋଇଥିବା ଜଣା ପଡ଼ିଛି । ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ମ୍ୟାନେଜର ବୋଲି କହି ଫୋନ କରିବା ସହ ଦରମା ପଠାଯିବ ବୋଲି କହି ଆକାଉଣ୍ଟ ନମ୍ବର ମାଗିଥିଲେ । ଯାହାର କିଛି ସମୟ ପରେ ପରଣୀତ କୌର୍‌ଙ୍କ ଆକାଉଣ୍ଟରୁ ୨୩ଲକ୍ଷ ଟଙ୍କା ଉଡ଼ି ଯାଇଥିବା ଜଣା ପଡ଼ିଛି । ତେବେ ଘଟଣାଟି ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ ସହ ଘଟିଥିବାରୁ ପୁଲିସ ତୁରନ୍ତ ଯାଞ୍ଚ କରି ଅଭିଯୁକ୍ତକୁ ଗିରଫ କରି ନେଇଛି । କିନ୍ତୁ ଜଣେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଓ ସାଂସଦଙ୍କ ସହ ଏଭଳି ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

oneindia.com

ସୂଚନା ମୁତାବକ, ଗତ ସପ୍ତାହରେ ପରଣୀତ୍‌ଙ୍କ ପାଖକୁ ଏକ ଫୋନ କଲ ଆସିବା ସହ ଯୁବକଜଣଙ୍କ ଷ୍ଟେଟ୍‌ ବ୍ୟାଙ୍କର ମ୍ୟାନେଜର ବୋଲି ପରିଚୟ ଦେଇଥିଲେ । ଆକାଉଣ୍ଟକୁ ଦରମା ପଠାଇବାରେ ଅଛି, ସେଥିପାଇଁ ଏଟିଏମ୍‌ ନମ୍ବର ଓ ପଛରେ ଲେଖାଥିବା ସିଭିଭି ନମ୍ବର ଦିଅନ୍ତୁ । ବିଳମ୍ବ ହେଲେ ଦରମା ପହଞ୍ଚି ପାରିବ ନାହିଁ ବୋଲି କହିଥିଲେ ଅଭିଯୁକ୍ତ । ସବୁ ବିବରଣୀ ଦେବା ପରେ ଆପଣଙ୍କ ଫୋନକୁ ଏକ ଓଟିପି ଯିବ, ତାକୁ ମୋତେ ଦିଅନ୍ତୁ ବୋଲି କହିଥିଲେ ଅଭିଯୁକ୍ତ । ପରଣୀତ୍‌ ଓଟିପି ଦେବା ପରେ ଫୋନ କଟିଯିବା ସହ ତାଙ୍କ ଆକାଉଣ୍ଟରୁ ୨୩ଲକ୍ଷ ଟଙ୍କା ଉଡ଼ି ଯାଇଥିଲା । ତୁରନ୍ତ ପରଣୀତ୍‌ ଏ ନେଇ ପୁଲିସକୁ ସୂଚନା ଦେବା ପରେ ପୁଲିସ ଯାଞ୍ଚ କରି ଅଭିଯୁକ୍ତକୁ ଗିରଫ କରିଛି ।

ସମ୍ବନ୍ଧିତ ଖବର