କୁନୋରେ ପୁଣି ୨ ଚିତା ଶାବକଙ୍କ ମୃତ୍ୟୁ, ୨ ମାସରେ ୬ ଚିତା ମଲେଣି

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଗୁରୁବାର ଦିନ ପୁଣି ୨ଟି ଚିତା ଶାବକଙ୍କ ମୃତ୍ୟୁ ହୋଇଛି। ଚିତା‌ ଜ୍ବାଲା ଗତ ମାର୍ଚ୍ଚ ୨୪ ତାରିଖରେ ୪ଟି ଶାବକଙ୍କୁ ଜନ୍ମ ‌ଦେଇଥିଲା। କିନ୍ତୁ ଏହି ୪ ଶାବକଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଚତୁର୍ଥ ଶାବକକୁ ଏବେ ନିରୀକ୍ଷଣରେ ରଖାଯାଇଛି। ତା’ର ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଠିକ୍‌ ନାହିଁ। ବନ ବିଭାଗ ଅନୁଯାୟୀ ପ୍ରଥମ ଚିତା ଶାବକଟି ଅତ୍ୟନ୍ତ ଦୁର୍ବଳ ହୋଇ ମରିଯାଇଥିଲା। ଅନ୍ୟ ୨ ଜଣ ମଧ୍ୟ ଅସୁସ୍ଥ ହୋ‌ଇ ଆଖି ବୁଜିଛନ୍ତି।

ତେବେ ଗତ ୨ ମାସ ମଧ୍ୟରେ ମୋଟ୍‌ ୬ଟି ଚିତାଙ୍କ ମୃତ୍ୟୁ ସରକାରଙ୍କ ଚିନ୍ତା ବଢ଼ାଇଛି। ମାର୍ଚ୍ଚ ୨୭ ତାରିଖରେ ନାମିବିୟାରୁ ଆସିଥିବା ଚିତା ଶାଶାର କିଡନି ଜନିତ ସମସ୍ୟା ପାଇଁ ମୃତ୍ୟୁ ହୋଇଥିଲା। ସେହିପରି ଏପ୍ରିଲ ୧୩ ତାରିଖରେ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଚିତା ଉଦୟର ମୃତ୍ୟୁ ହୋଇଥିଲା। ଦକ୍ଷିଣ ଆଫ୍ରିକାରୁ ଆସିଥିବା ଅନ୍ୟ ଏକ ଚିତା ଦକ୍ଷାର ଗତ ମେ’ ୯ ତାରିଖରେ ମୃତ୍ୟୁ ହୋଇଥିଲା। ଆଜି ୨ଟି ଚିତା ଶାବକଙ୍କ ମୃତ୍ୟୁ ହେବା ସହ କୁନୋରେ ଏବେ ମାତ୍ର ଆଉ ଗୋଟିଏ ଶାବକ ରହିଲା।

ସମ୍ବନ୍ଧିତ ଖବର