ନୂଆଦିଲ୍ଲୀ: ଭାରତରେ ଚିତା ଲୋପ ପାଇଥିବା ବେଳେ ଅଫ୍ରିକାର ନାମିବ୍ୟାରୁ ଭାରତକୁ ୮ଟି ଚିତବାଘଙ୍କୁ  ଅଣାଯାଇଥିଲା। ୮୦୦୦ କିଲୋମିଟର ଦୂର ଆଫ୍ରିକା ମହାଦେଶର ନାମିବ୍ୟାରୁ ଆସିଥିବା ୮ଟି ଚିତାକୁ ସେପ୍ଟେମ୍ବର ମାସରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନର ସ୍ବତନ୍ତ୍ର ଏନକ୍ଲୋଜରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାଡ଼ିଥିଲେ। କିଛି ଦିନ ତଳେ ଦୁଇଟି ଚିତାକୁ ଛୋଟ ଏନକ୍ଲୋଜରରୁ ବାହାର କରି ବଡ଼ ଏନକ୍ଲୋଜରରେ ଛାଡି ଦିଆଯାଇଥିଲା। ବଡ଼ ଏନକ୍ଲୋଜରକୁ ଯିବା ପରେ ଏହି ୨ଟି ଚିତା ଭାରତରେ ନିଜର ପ୍ରଥମ ଶିକାର କରିଛନ୍ତି। ଛୋଟ ଏନକ୍ଲୋଜରରୁ ମୁକ୍ତ ହେବାର ୨୪ଘଣ୍ଟା ମଧ୍ୟରେ ଚିତାମାନେ କରିଛନ୍ତି ସେମାନଙ୍କର ପ୍ରଥମ ଶିକାର।

Advertisment

ବନ ବିଭାଗର ଅଧିକାରୀମାନେ କହିଛନ୍ତି ଯେ, ଏହି ଚିତାମାନେ ରବିବାର ରାତିରେ କିମ୍ବା ସୋମବାର ସକାଳେ ଏକ ହରିଣର ଶିକାର କରିଛନ୍ତି।  ନାମିବ୍ୟାରୁ ଆସିବା ପରେ ଏହି ଚିତାମାନେ ଭାରତରେ ପ୍ରଥମ ଶିକାର କରିଥିବା ସୂଚନା ମଳିଛି । ବଡ଼ ଏନକ୍ଲୋଜରରେ ଛାଡି ଦିଆଯାଇଥିବା ଦୁଇଟି ଚିତା ହେଉଛନ୍ତି ଫ୍ରେଡି ଏବଂ ଏଲଟନ୍ | ନଭେମ୍ବର ୫ରେ ସେମାନଙ୍କୁ ଏକ ବଡ଼ ଏନକ୍ଲୋଜରରେ ଛଡ଼ା ଯାଇଥିଲା। ଏହା ପରେ ସେମାନେ ଶିକାର କରିଥିଲେ।

ଅଧିକାରୀମାନେ କହିଛନ୍ତି ଯେ ସୋମବାର ସକାଳେ ସିସିଟିଭି ଟିମ୍ ଏହି ଶିକାର ବିଷୟରେ ସୂଚନା ପାଇଥିଲେ। ହରିଣର ଶିକାର କରିବା ପରେ ଫ୍ରେଡି ଏବଂ ଏଲଟନ୍ ଏହାକୁ ଦୁଇ ଘଣ୍ଟା ମଧ୍ୟରେ ଖାଇ ଦେଇଥିଲେ ବୋଲି ଜଣାପଡ଼ିଛି।