ରାସାୟନିକ ଆକ୍ରମଣ ମାମଲା:ସିରିୟା ସ୍ଥିତି ସାଂଘାତିକ : ଇସ୍ରାଏଲକୁ ଦାୟୀ କଲା ରୁଷ୍‌

୧୦ ହଜାର ପ୍ରଭାବିତ: ୪ ହଜାର ପରିବାର ସ୍ଥାନାନ୍ତର : ମୃତ୍ୟୁ ସଂଖ୍ୟା ୧୧୦ରେ ପହଞ୍ଚିଲା

ଡାମାସ୍‌କସ୍‌ : ଯୁଦ୍ଧ ବିଧ୍ୱସ୍ତ ସିରିୟାର ପୂର୍ବାଞ୍ଚଳ ଘୌଟା ପ୍ରଦେଶର ଡୁମା ସହରରେ ଗତକାଲି ହୋଇଥିବା ବଡ଼ ଧରଣର ରାସାୟନିକ ଆକ୍ରମଣ ନେଇ ଆମେରିକା ଓ ରୁଷ୍‌ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ଆଜି ମୃତ୍ୟୁ ସଂଖ୍ୟା ୧୧୦ରେ ପହଞ୍ଚିଥିବା ବେଳେ ବିଷାକ୍ତ ଗ୍ୟାସ୍‌ରେ ପ୍ରାୟ ୧୦ ହଜାର ଲୋକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଲକ୍ଷାଧିକ ଲୋକ ରହୁଥିବା ଡୁମା ସହରରୁ ପ୍ରାୟ ୧୫ ହଜାର ଲୋକ ଅନ୍ୟତ୍ର ପଳାୟନ କରିଛନ୍ତି। ବିଦ୍ରୋହୀଙ୍କ ଦଖଲରେ ଥିବା ସହରରୁ ଆଜି ଯୁଦ୍ଧକାଳୀନ ଭିତ୍ତିରେ ସିରିୟା ସରକାର ୪ ହଜାର ପରିବାରକୁ ସୁରକ୍ଷିତ ସ୍ଥାନାନ୍ତର କରିଛନ୍ତି।

ଏହି ଆକ୍ରମଣ ନେଇ ସ୍ଥିତି ଉଦ୍‌୍‌ବେଗଜନକ ଥିବା ବେଳେ ମାମଲାର ତଦନ୍ତ ପାଇଁ କେତେକ ଅନ୍ତର୍ଜାତୀୟ ସଂସ୍ଥା ସିରିୟାରେ ପହଞ୍ଚିଛନ୍ତି। ଆକ୍ରମଣ ପାଇଁ ରୁଷ୍‌କୁ ଗତକାଲି ଆମେରିକା ଓ ସିରିୟା ଦାୟୀ କରିଥିଲେ। ତେବେ ଅସଲରେ ଏହି ଆକ୍ରମଣ ଆମେରିକାର ମିତ୍ର ରାଷ୍ଟ୍ର ଇସ୍ରାଏଲ କରିଥିବା ରୁଷ୍‌ କହିଛି। ସିରିୟା ସରକାର ମଧ୍ୟ ଆକ୍ରମଣ ପଛରେ ଇସ୍ରାଏଲର ହାତଥିବା ପ୍ରମାଣ ମିଳିଥିବା ଦାବି କରିଛନ୍ତି। ଇସ୍ରାଏଲର ଏଫ୍‌-୧୫ ଯୁଦ୍ଧ ବିମାନ ଦ୍ୱାରା ଏହି ରାସାୟନିକ ଆକ୍ରମଣ ହୋଇଛି ବୋଲି ଆଜି ରୁଷ୍‌ ବିବୃତି ଜାରି କରି କହିଛି । ଏଥିରେ ଦୁଇଟି ଇସ୍ରାଏଲୀ ବିମାନ ନିୟୋଜିତ ହୋଇଥିଲା ବୋଲି ସିରିୟା ସେନା କହିଛି।
ରାସାୟନିକ ଆକ୍ରମଣ ବଡ଼ ଧରଣର ମାନବୀୟ ସଙ୍କଟ ସୃଷ୍ଟି କରିଥିବାରୁ ଇସ୍ରାଏଲକୁ ରୁଷ୍‌ ଚେତାବନୀ ଦେଇଛି। ରୁଷ୍‌ ଓ ସିରିୟା ଇସ୍ରାଏଲକୁ ମିଳିତ ଚେତାବନୀ ଦେଇ ଏହାର ଭୟଙ୍କର ପରିଣତି ଭୋଗିବାକୁ ହେବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଆକ୍ରମଣ ପାଇଁ ରୁଷ୍‌ ହିଁ ଦାୟୀ ବୋଲି ଆମେରିକା ତା’ର ବୟାନରେ କାଏମ ରହିଛି । ଆଜି ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌ ରୁଷ୍‌, ଇରାନ୍‌ ଏବଂ ସିରିୟାକୁ ଧମକ ଦେଇ କହିଛନ୍ତି ଯେ ସିରିୟା ସରକାରକୁ କାଏମ ରଖିବା ପାଇଁ ନିରୀହଙ୍କୁ ଦମନ କରାଯାଉଥିବାରୁ ଏହାର ପରିଣାମ ଅତି ସାଂଘାତିକ ହେବ। ଆମେରିକାର ପୂର୍ବ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ଭୁଲ୍‌ ନୀତି ଯୋଗୁଁ ସିରିୟାରେ ଏବେ ବି ବସର୍‌ ଅଲ୍‌ ଅସାଦ ସରକାର ତିଷ୍ଠି ରହିଛି, ଅନ୍ୟଥା କେବେଠାରୁ ଏହାର ମୂଳପୋଛ ହୋଇସାରନ୍ତାଣି ବୋଲି ଟ୍ରମ୍ପ୍‌ କହିଛନ୍ତି।
ସିରିୟାରେ ଆମେରିକା ଓ ତା’ର ମିତ୍ର ରାଷ୍ଟ୍ରମାନେ ଅଧିକ ବିମାନ ଆକ୍ରମଣ କରିବା ଆଶଙ୍କା କରାଯାଉଛି।

ଏହାର ମୁକାବିଲା ପାଇଁ ରୁଷ୍‌ ସହାୟତାରେ ସିରିୟା ସରକାର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ବଢ଼ାଇଛନ୍ତି। ଡୁମା ସହର ରାସାୟନିକ ଆକ୍ରମଣରେ ସର୍ବାଧିକ ପ୍ରଭାବିତ ହୋଇଥିବାରୁ ସେଠାରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ବହୁ ସଂଖ୍ୟାରେ ବିଦ୍ରୋହୀ ସେନା ଓ ସେମାନଙ୍କ ପରିବାର ଏହି ଆକ୍ରମଣରେ ପ୍ରଭାବିତ ହୋଇଛନ୍ତି। ରାସାୟନିକ ଆକ୍ରମଣ ଘଟଣା ନେଇ ମାନବାଧିକାର ସଂଗଠନଗୁଡ଼ିକ ଗଭୀର ଉଦ୍‌୍‌ବେଗ ପ୍ରକାଶ କରିଛନ୍ତ। ପ୍ରାୟ ୩ ହଜାର ଲୋକଙ୍କ ଶ୍ୱାସକ୍ରିୟାରେ ସମସ୍ୟା ଦେଖା ଦେଇଥିବା ବେଳେ ଶତାଧିକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସ୍ୱେଚ୍ଛାସେବୀ ସଂଗଠନ ‘ହ୍ଵାଇଟ ହେଲମେଟ’ ମୃତାହତଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛି। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ମୁତାବକ, ବିଷାକ୍ତ ଗ୍ୟାସ୍‌ ଥିବା ବ୍ୟାରେଲ ବୋମାଗୁଡ଼ିକୁ ଶନିବାର ଦିନ ହେଲିକପ୍ଟରରୁ ଏହି ଅଞ୍ଚଳରେ ପକାଯାଇଥିଲା। ୨୦୧୩ ମସିହାରେ ରକେଟ୍‌ ଯୋଗେ ଏହି ଅଞ୍ଚଳରେ ହୋଇଥିବା ରସାୟନିକ ଆକ୍ରମଣରେ ପାଖାପାଖି ୯ଶହ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଗତବର୍ଷ ଖାନ୍‌ ସୈଖୁନ୍‌ ସହରରେ ହୋଇଥିବା ଅନୁରୂପ ଘଟଣାରେ ୮୦ ଜଣଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର