ଗୁଜୁରାଟରେ କେମିକାଲ କାରଖାନାରେ ବିସ୍ଫୋରଣ, ୨୪ ଜଣ ଗୁରୁତର ଆହତ

ଅହମ୍ମଦାବାଦ: ଗୁଜୁରାଟର ଭରୁଚରେ ସୋମବାର ବିଳମ୍ବିତ ରାତିରେ ଏକ ବଡ ଦୁର୍ଘଟଣା ଘଟିଯାଇଛି | ସୋମବାର ବିଳମ୍ବିତ ରାତିରେ ଗୁଜୁରାଟର ଭରୁଚରେ ଥିବା ୟୁପିଏଲ-୫ କେମିକାଲ କାରଖାନାରେ ବିସ୍ଫୋରଣ ଘଟିଛି | ବିସ୍ଫୋରଣ ଯୋଗୁଁ ପ୍ଲାଣ୍ଟରେ କାମ କରୁଥିବା ୨୪ ଜଣ ଗୁରୁତର ଆହତ ହୋଇଛନ୍ତି | କୁହାଯାଉଛି ଯେ ମଙ୍ଗଳବାର ଭୋର ୨ଟା ବେଳେ ଭରୁଚର ଝଗଡ଼ିଆରେ ଥିବା ଏହି କାରଖାନାରେ ବିସ୍ଫୋରଣ ହୋଇଥିଲା |

ଘଟଣାସ୍ଥଳରେ ବର୍ତ୍ତମାନ ଦମକଳ ବାହିନୀ ପହଂଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଥିବାବେଳେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ୧୫ କିଲୋମିଟର ଦୂରତା ପର୍ଯ୍ୟନ୍ତ ଶବ୍ଦ ଶୁଣିବାକୁ ମିଳିଥିଲା | ତାଜା ସୂଚନା ମୁତାବକ ବିସ୍ଫୋରଣ ଯୋଗୁଁ ଗୁରୁତର ଆହତ ହୋଇଥିବା ୨୪ କର୍ମଚାରୀଙ୍କୁ ଭରୁଚ ଓ ବଡୋଦରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ତେବେ ବିସ୍ଫୋରଣର କାରଣ ଜଣାପଡ଼ିନଥିଲେ ବି ରାସାୟନିକ ପ୍ରତିକ୍ରିୟା ଯୋଗୁଁ ନିଆଁ ଲାଗିଯାଇଥିବାର ସନ୍ଦେହ କରାଯାଉଛି |

ସୂଚନା ଥାଉ କି ଗତବର୍ଷ ଜୁନ ମାସରେ ଭରୁଚରେ ଥିବା ଅନ୍ୟ ଏକ କେମିକାଲ ପ୍ଲାଣ୍ଟରେ ବିସ୍ଫୋରଣ ହୋଇ ୧୦ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା | ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୪ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା | ଏହି ଘଟଣାରେ ୭୭ ଜଣ ଆହତ ହୋଇଥିଲେ |

ସମ୍ବନ୍ଧିତ ଖବର