ଛେଣ୍ଡିପଦା କୋଇଲା ଖଣି ନିଲାମ
ଦିଲ୍ଲୀ ହାଇକୋର୍ଟ ଗଲା ଜେଏସ୍ପି
ନୂଆଦିଲ୍ଲୀ: ଓଡ଼ିଶାର ଛେଣ୍ଡିପଦା କୋଇଲା ଖଣିକୁ ହାସଲ କରିବାରେ ବିଫଳ ହୋଇଥିବା ଶିଳ୍ପପତି ନବୀନ ଜିନ୍ଦଲଙ୍କ ଇସ୍ପାତ କଂପାନି ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର ଏହି ଖଣିର ଆବଣ୍ଟନକୁ ବାତିଲ କରିବା ଲାଗି ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛି। ଗତ ଫେବ୍ରୁଆରି ୨୮ରେ ହୋଇଥିବା ଏହି ଖଣିର ଇ-ନିଲାମରେ ଝାଡ଼ଖଣ୍ଡର ରୁଙ୍ଗଟା ସନ୍ସ ପ୍ରାଇଭେଟ୍ ଲିମିଟେଡ୍ ସର୍ବୋଚ୍ଚ ବିଡ୍ ଦାଖଲ କରି ଖଣିକୁ ହାସଲ କରିଥିଲା। ଜେଏସ୍ପି ଅଭିଯୋଗ କରିଛି ଯେ ଏମ୍ଏସ୍ଟିସି ୱେବସାଇଟ୍ରେ ବୈଷୟିକ ତ୍ରୁଟି ଦେଖାଦେବାରୁ ଏହା ସର୍ବୋଚ୍ଚ ବିଡ୍ ଦାଖଲ କରିବାରେ ବିଫଳ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍ ସି ଶର୍ମା ଏହି ମାମଲାକୁ ଏପ୍ରିଲ୍ରେ ଶୁଣାଣି କରିବାକୁ ରାଜି ହୋଇଛନ୍ତି। ଛେଣ୍ଡିପଦା କୋଇଲା ଖଣିକୁ ଆଉ ଥରେ ନିଲାମ କରିବା ଲାଗି କଂପାନି ପକ୍ଷରୁ କୋର୍ଟଙ୍କୁ ଅନୁରୋଧ କରାଯାଇଛି। ଛେଣ୍ଡିପଦା କୋଇଲା ଖଣି ଲାଗିଯେ ତିନିଟି ବୈଷୟିକ ବିଡ୍ ଯୋଗ୍ୟତା ହାସଲ କରିଥିଲା ସେଥିରେ ଜେଏସ୍ପି ଥିଲା ଅନ୍ୟତମ। ଇ-ନିଲାମରେ ଏହା ପ୍ରତ୍ୟକ୍ଷ ଭାବେ ବିଡ୍ ଦାଖଲ କରୁଥିଲା। ମାତ୍ର ଗତ ଫେବ୍ରୁଆରି ୨୭ରେ କଂପାନି ଉଚ୍ଚ ମୂଲ୍ୟର ବିଡ୍ ଦାଖଲ କରିବା ସତ୍ତ୍ବେ ଏମ୍ଏସ୍ଟିସି ପୋର୍ଟାଲ୍ରେ ବୈଷୟିକ ସମସ୍ୟା ଦେଖାଦେବାରୁ ତାହା ଗ୍ରହଣୀୟ ହୋଇନଥିଲା। ଏ ସମ୍ପର୍କରେ କଂପାନି ଏସ୍ବିଆଇ କ୍ୟାପିଟାଲ୍ ମାର୍କେଟ୍ସକୁ ମଧ୍ୟ ଅବଗତ କରିଥିଲା। କୋଇଲା ଖଣି ନିଲାମ ପାଇଁ ଏସ୍ବିଆଇ କ୍ୟାପିଟାଲ୍ କୋଇଲା ମନ୍ତ୍ରାଳୟର ଉପଦେଷ୍ଟା ଭାବେ କାର୍ଯ୍ୟ କରୁଛି। ଛେଣ୍ଡିପଦା କୋଇଲା ଖଣିରେ ୫୧୩ ନିୟୁତ ଟନ୍ କୋଇଲା ଗଚ୍ଛିତ ରହିଛି।