ପ୍ରବଳ ବର୍ଷା ଓ ପବନ ପାଇଁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିମାନ ଅବତରଣ ବନ୍ଦ କଲା ଚେନ୍ନାଇ ବିମାନବନ୍ଦର

ଚେନ୍ନାଇ: ବଙ୍ଗୋପସାଗରରେ ସୃଷ୍ଟ ଅବପାତ ବା ଡିପ୍ରେସନ ଧୀରେ ଧୀରେ ତାମିଲନାଡ଼ୁ ଉପକୂଳ ଆଡ଼କୁ ଗତି କରୁଛି । ଏହା ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ଗତି କରୁଛି । ଏହା ଆଜି ସଂଧ୍ୟା ସୁଦ୍ଧା ତାମିଲନାଡ଼ୁ ଉପକୂଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଡିପ୍ରେସନ ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୪୦ କିଲୋମିଟର ରହିବାର ସମ୍ଭାବନା ଥିବାବେଳେ ୬୦ କିଲୋମିଟର ବେଗରେ ଝଟକା ଦେବାର ସମ୍ଭାବନା ରହିଛି ।

ଏହାକୁ ଦୃଷ୍ଟିରେ ରଖି ଚେନ୍ନାଇ ବିମାନବନ୍ଦରରେ ବିମାନ ଅବତରଣକୁ ବନ୍ଦ ରଖାଯାଇଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚେନ୍ନାଇ ବିମାନବନ୍ଦରରେ ବିମାନ ଅବତରଣ କରିବ ନାହିଁ। ବିମାନବନ୍ଦର ଅଧିକାରୀମାନେ କହିଛନ୍ତି ଯେ ବିମାନ ଅବତରଣ ବନ୍ଦ ଥିଲେ ବି ଉଡ଼ାଣ ପୂର୍ବପରି ଜାରି ରହିବ।

ବିମାନ ଅବତରଣ ସହ ଯାତାୟତ ଉପରେ ପ୍ରଭାବ ପକାଇଛି ବର୍ଷ‌ା। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ କୁହାଯିବା ସହ ବନ୍ୟାସ୍ଥିତିର ମୁକାବିଲା କରିବାକୁ ରାଜ୍ୟରେ ୧୧ଟି ଏନଡିଆରଏଫ ଦଳ ଓ ୭ଟି ଏସଡିଆରଏଫ ଦଳ ମୁତୟନ କରାଯାଇଛି ।

ଏହାର ପ୍ରଭାବରେ ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ବର୍ଷା ଲାଗି ରହିଛି । ଗତ ୨୪ ଘଣ୍ଟାରେ ତାମିଲନାଡ଼ୁର ନୁଙ୍ଗମବକମରେ ସର୍ବାଧିକ ୧୫୭ ମିଲିଲିଟର ବର୍ଷା ହୋଇଥିବାବେଳେ ମୀନାମ୍ବକମରେ ୧୪୪ ମିଲିଲିଟର ବର୍ଷା ହୋଇଛି । ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ତାମିଲନାଡ଼ୁରେ ମୃତ୍ୟୁସଂଖ୍ୟା ୧୪କୁ ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର