ଆସାମରୁ ଚେନ୍ନାଇ ଆମ୍ବୁଲାନ୍‌ସ ଭଡ଼ା ଲକ୍ଷେ ଷାଠିଏ ହଜାର!

ଗୁଆହାଟୀ: ଏକ ବିସ୍ମୟକର ଘଟଣାକ୍ରମରେ ଦୁଇ ଜଣ ରୋଗୀ ଚେନ୍ନାଇରୁ ସଡ଼କପଥରେ ଆମ୍ବୁଲାନ୍ସରେ ୨୭୦୦ କିଲୋମିଟର ଅତିକ୍ରମ କରି ଆସାମରେ ନିଜ ଘରେ ପହଞ୍ଚିଛନ୍ତି। ଏଥିପାଇଁ ସେମାନଙ୍କୁ ୧ ଲକ୍ଷ ୬୦ ହଜାର ଟଙ୍କା ଭଡ଼ା ଦେବାକୁ ପଡ଼ିଛି। ବଙ୍ଗାଇଗାଁ ଜିଲ୍ଲାରେ ପହଞ୍ଚିବାକୁ ୬୦ ଘଣ୍ଟାର ଅନବରତ ଯାତ୍ରା କରିବାକୁ ପଡିଛି।

ବାପାଙ୍କ ଲାଗି ଆମ୍ବୁଲାନ୍ସ ଭଡ଼ା କରିଥିବା ବାହାରୁଲ ଇସଲାମ୍‌ କହିଛନ୍ତି, ତାଙ୍କ ସ୍କୁଲଶିକ୍ଷକ ବାପାଙ୍କର ହୃତ୍‌ପିଣ୍ଡ ସମସ୍ୟା ପାଇଁ ତାଙ୍କୁ ଚେନ୍ନାଇର ଆପୋଲୋ ହସପିଟାଲକୁ ନେଇଥିଲେ ମାର୍ଚ ୪ ତାରିଖରେ। ସେଠାରେ ଡାକ୍ତର ତାଙ୍କର ବୃକ୍କ ସମସ୍ୟା ଥିବା ମଧ୍ୟ ଠାବ କଲେ। ତାଙ୍କର ସଫଳ ଚିକି୍ତ୍ସା ପରେ ବିମାନ ୧୮ ତାରିଖରେ ଥିଲା। କିନ୍ତୁ ୧୭ ତାରିଖରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଗଲା। ତେଣୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ପୁଣି ଫେରିଯିବାକୁ ଚାହିବା ବେଳକୁ ଲକ୍‌ଡାଉନ୍‌ ଲାଗୁ ହୋଇଗଲା। ଡାକ୍ତର କହିଲେ ଆଇସିୟୁ ଓ ଅମ୍ଳଜାନ ସୁବିଧା ସହ ଆମ୍ବୁଲାନ୍‌ସରେ ନିଆଯାଇପାରିବ। ଚେନ୍ନାଇରେ କାମ କରୁଥିବା ଆସାମର ସାଙ୍ଗମାନଙ୍କ ସାହାଯ୍ୟରେ ମାର୍ଚ ୩୧ ତାରିଖରେ ବାହାରି ଏପ୍ରିଲ୍‌ ୨ ତାରିଖରେ ବଙ୍ଗାଇଗାଁରେ ପହଞ୍ଚିଲେ। ସେମାନଙ୍କୁ ପୁଲିସ୍‌ ଦୁଇ ଜାଗାରେ ଅଟକାଇଥିଲା। କାଗଜପତ୍ର ଦେଖିବା ପରେ ଛାଡ଼ିଥିଲା। ରାସ୍ତା ଫାଙ୍କା ଥିବାରୁ ଆମ୍ବୁଲାନ୍ସ ଦ୍ରୁତ ବେଗରେ ଆସିପାରିଥିଲା। ତେବେ ଘର ପାଖ କାଜଲଗାଁରେ ପହଞ୍ଚିଲା ବେଳକୁ ଆମକୁ ଅଟକାଯାଇ ୧୪ ଦିନ ସଙ୍ଗରୋଧରେ ରଖାଗଲା, ଯାହା ଏପ୍ରିଲ୍‌ ୧୬ରେ ସରିଥିଲା।

ସମ୍ବନ୍ଧିତ ଖବର