ଚେନ୍ନାଇ: ବୀମା ଅର୍ଥ ପାଇବା ଲାଗି ନିଜ ଚେହେରା ସହିତ ମେଳ ଖାଉଥିବା ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ନିଜର ମୃତ୍ୟୁ ଘଟିଛି ବୋଲି ଦର୍ଶାଇ ଥିବା ସନ୍ଦେହରେ ଜଣେ ‘ଜିମ୍ ଟ୍ରେନର୍’ଙ୍କୁ ଗିରଫ କରାଯାଇଥିବା କଥା ଚେନ୍ନାଇ ପୁଲିସ କହିଛି।
ଏହି ହତ୍ୟା ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବା ସନ୍ଦେହରେ ‘ଜିମ୍ ଟ୍ରେନର୍’ଙ୍କର ଆଉ ୨ଜଣ ବନ୍ଧୁଙ୍କୁ ମଧ୍ୟ ଗିରଫ କରାଯାଇଛି।
ପୁଲିସ କହିଛି, ୨୦୨୩ ସେପ୍ଟେମ୍ବରରେ ଆୟନାନାବରମ୍ସ୍ଥିତ ୩୮ ବର୍ଷିୟ ‘ଜିମ୍ ଟ୍ରେନର୍’ ସୁରେଶ ମିଛରେ ନିଜକୁ ମୃତ ଘୋଷଣା କରି ପରିବାର ଲୋକଙ୍କଦ୍ବାରା ୧ କୋଟି ଟଙ୍କା ବୀମା ରାଶି ହାସଲ କରିବାକୁ ଏଭଳି ଯୋଜନା କରିଥିଲେ। କିନ୍ତୁ, ଏହି ମାମଲାରେ ପୁଲିସ ଆତ୍ମହତ୍ୟା ମାମଲା ପଞ୍ଜିକୃତ କରିବାରୁ ବୀମା କମ୍ପାନି ଅର୍ଥ ଦେବାକୁ ମନା କରିଦେବାରୁ ସୁରେଶଙ୍କ ଯୋଜନା ବିଫଳ ହୋଇଗଲା।
ତଦନ୍ତରୁ ପ୍ରାପ୍ତ ତଥ୍ୟାବଳି ଅନୁସାରେ, ସୁରେଶ ଓ ତାଙ୍କର ଦୁଇ ବନ୍ଧୁ, ସୁରେଶଙ୍କ ଚେହେରା ସହିତ ମେଳ ଖାଉଥିବା ଜଣେ ବ୍ୟକ୍ତିଙ୍କର ସନ୍ଧାନ ନେଲେ। ବହୁ ବିଚାର ଆଲୋଚନା ପରେ ଆଗରୁ ସୁରେଶଙ୍କ ଘରେ ଭଡ଼ା ଦେଇ ରହୁଥିବା ଦିଲ୍ଲିବାବୁ ନାମରେ ଜଣେ ବ୍ୟକ୍ତିଙ୍କୁ ସେମାନେ ବାଛିଲେ। ଦିଲ୍ଲିବାବୁଙ୍କ ଚେହେରା ସୁରେଶଙ୍କ ଚେହେରା ସହିତ ପ୍ରାୟ ମିଶିଯାଉଥିଲା।
ମଦ୍ୟପାନ ଲାଗି ତିନିହେଁ ମିଶି ଦିଲ୍ଲିବାବୁ ପୁଡ୍ଡୁଚେରୀ ନେଇଗଲେ। ମଦ୍ୟପାନ କରାଇ ସେମାନେ ଦିଲ୍ଲିବାବୁଙ୍କୁ ସୁରେଶଙ୍କ ପରିବାର ମାଲିକାନାରେ ଥିବା ବିଲରେ ଗଢ଼ାଯାଇଥିବା ଗୋଟାଏ କୁଡ଼ିଆକୁ ନେଇଗଲେ। ଦିଲ୍ଲିବାବୁଙ୍କୁ ଭିତରେ ପୂରାଇ ସେମାନେ ସେ କୁଡ଼ିଆରେ ନିଆଁ ଲଗାଇ ଦେଲେ। ସୁରେଶ ନିରୁଦ୍ଦିଷ୍ଟ ହୋଇଗଲେ। କିନ୍ତୁ, ସେ ନିଆଁରେ ପୋଡ଼ି ମରିଯାଇଛି ଭାବି ପରିବାର ଲୋକେ ଶେଷକୃତ୍ୟ କଲେ।
କିନ୍ତୁ, ସୁରେଶଙ୍କ ଭଉଣୀ ଜୟଶ୍ରୀ ଯୋଗାଇ ଦେଇଥିବା ତଥ୍ୟକୁ ଭିତ୍ତିକରି ପୁଲିସ ଆତ୍ମହତ୍ୟା ମାମଲା ରୁଜୁ କରିବାରୁ ଘଟଣା ଭିନ୍ନ ମୋଡ଼ ନେଲା। ‘ଏଫଆଇଆର୍’ ଦେଖି ବୀମାନ କମ୍ପାନି କହିଲା ଆତ୍ମହତ୍ୟାଜନିତ ମୃତ୍ୟୁ ହୋଇଥିବାରୁ ବୀମା ଅର୍ଥ ଦିଆଯିବ ନାହିଁ।
ତେଣେ, ଦିଲ୍ଲିବାବୁଙ୍କ ମାଆ ଲୀଳାବତୀ ପୁଅକୁ ଖୋଜି ହତାଶ ହେବା ପରେ ମାଡ୍ରାସ୍ ହାଇକୋର୍ଟରେ ‘ହେବିଅସ୍ କର୍ପସ୍’ ପିଟିସନ୍ ଦାଏର କଲେ। ତଦନ୍ତ କରି ପୁଲିସ ଜାଣିଲା ଶେଷଥର ପାଇଁ ଦିଲ୍ଲିବାବୁଙ୍କୁ ସୁରେଶଙ୍କ ସହିତ ଦେଖିବାକୁ ମିଳିଥିଲା। ଏହି ସୂତ୍ରକୁ ଆଧାର କରି ପୁଲିସ ସୁରେଶଙ୍କ ଗାଁ’କୁ ଗଲା। କିନ୍ତୁ, ସୁରେଶ ମୃତ ବୋଲି ସେଠାରେ ଥିବା ସମ୍ପର୍କୀୟମାନେ କହିଲେ। ଏଥର ପୁଲିସ ସୁରେଶଙ୍କର କିଛି ବନ୍ଧୁମାନଙ୍କର ଗତିବିଧି ଉପରେ ଦୃଷ୍ଟି ରଖି ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କଲା। ଅଳ୍ପ କିଛି ଦିନ ପରେ ନିରୁଦ୍ଦିଷ୍ଟ ସୁରେଶ ପୁଲିସ ହାତରେ ଧରାପଡ଼ିଲେ।