ଚେନ୍ନାଇ: କରୋନା ଭଳି ଭୂତାଣୁର ମୂଳପୋଛ କରିବା ପାଇଁ ଦେଶରେ ଅନେକ କରୋନା ଟିକାର ପରୀକ୍ଷଣ ଚାଲିଛି। ସେ ମଧ୍ୟରୁ ଗୋଟିଏ ହେଉଛି କୋଭିସିଲ୍ଡ। ପୁଣେ ଭିତ୍ତିକ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ)ର ସହଯୋଗରେ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରା ଜେନେକା ଦ୍ବାରା ଏହି ଟିକା ପ୍ରସ୍ତୁତ କରାଯାଉଛି। ହେଲେ ଟିକା ନେଇଥିବା ଜଣେ ସ୍ୱେଚ୍ଛାସେବୀ ସଙ୍ଗୀନ ଅଭିଯୋଗ ଆଣିବା ପରେ ଏବେ କୋଭିସିଲ୍ଡ ଟିକା ବିବାଦ ଘେରକୁ ଆସିଛି।
ସ୍ୱେଚ୍ଛାସେବୀଜଣଙ୍କ ଅଭିଯୋଗ କରିଛନ୍ତି ଯେ, ଅକ୍ଟୋବରରେ ଟିକା ନେବା ପରେ ତାଙ୍କର ସ୍ନାୟବିକ ଓ ମାନସିକ ସମସ୍ୟା ଆରମ୍ଭ ହୋଇଯାଇଛି। ଏହି ପାର୍ଶ୍ବ ପ୍ରତିକ୍ରିୟା ଦେଖା ଦେବା ପରେ ସେ ଏବେ ଟିକାର ପରୀକ୍ଷା, ଉତ୍ପାଦନ ଏବଂ ବିତରଣ ଉପରେ ରୋକ ଲଗାଇବା ପାଇଁ ଦାବି କରିବା ସହ ୫କୋଟି ଟଙ୍କା କ୍ଷତିପୂରଣ ଆକାରରେ ମାଗିଛନ୍ତି। ସ୍ୱେଚ୍ଛାସେବୀଙ୍କୁ ଚେନ୍ନାଇର ଶ୍ରୀ ରାମଚନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ହାଇଅର ଏଜୁକେସନ ଆଣ୍ଡ ରିସର୍ଚ୍ଚରେ କୋଭିସିଲ୍ଡ ଟିକାର ଡୋଜ ଦିଆଯାଇଥିଲା। ଏହା ପରେ ପରେ ତାଙ୍କର ସ୍ନାୟବିକ ଓ ମାନସିକ ସମସ୍ୟା ଆରମ୍ଭ ହୋଇଥିବା ସେ କହିଛନ୍ତି।
/sambad/media/post_attachments/9b62429e0f4cba365629f1398534165f15598ea024402b48285d2db04ca1a630.jpeg)
ସ୍ୱେଚ୍ଛାସେବୀଙ୍କ ଏଭଳି ସଙ୍ଗୀନ ଅଭିଯୋଗ ପରେ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିଜିସିଆଇ) ଏବଂ ଏଥିକ୍ସ କମିଟି ଏ ନେଇ ଯାଞ୍ଚ କରିବା ଆରମ୍ଭ କରିଛନ୍ତି। ଟିକା ନେବା ପରେ ହିଁ ସ୍ୱେଚ୍ଛାସେବୀଙ୍କ ଶରୀରରେ ପାର୍ଶ୍ବ ପ୍ରତିକ୍ରିୟା ଦେଖା ଦେଇଥିଲା କି ପୂର୍ବରୁ ତାଙ୍କର ଶରୀରିକ ସମସ୍ୟା ଥିଲା ସେ ନେଇ ଯାଞ୍ଚ କରାଯାଉଛି।