ଚେନ୍ନାଇ: ସାମୁଦ୍ରିକ ବାତ୍ୟା ‘ମିଗ୍‌ଜାମ’ ପରେ ଚେନ୍ନାଇ ସହରର ବିଭିନ୍ନ ସ୍ଥାନ ଓ ଆଖପାଖ ଅଞ୍ଚଳରେ ଜଳବନ୍ଦୀ ଓ ବିଦ୍ୟୁତ୍‌ ବିଚ୍ଛିନ୍ନତାର ସମ୍ମୁଖୀନ ହୋଇଛନ୍ତି। ତାମିଲନାଡୁ ସରକାର କହିଛନ୍ତି ଯେ କେବୁଲଗୁଡ଼ିକ ପାଣି ଘେରରେ ଥିବାରୁ ପ୍ରତିଷେଧକ ପଦକ୍ଷେପ ସ୍ୱରୂପ କେତେକ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହୋଇନାହିଁ ଏବଂ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି ବୋଲି ତାମିଲନାଡୁ ସରକାରଙ୍କ ପକ୍ଷରୁ କୁହାଯାଇଛି।

Advertisment

ବାତ୍ୟା ଜନିତ ପ୍ରବଳ ବର୍ଷା ଯୋଗୁଁ ଭେଲାଚେରି ଓ ତାମ୍ବାରାମ ସମେତ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି। ବୁଧବାର ଲୋକମାନେ ନିଜ ଘରୁ ସୁରକ୍ଷିତ ସ୍ଥାନକୁ ଯାଇ ନିଜ ପିଲାମାନଙ୍କୁ ଧରି ପାଣିରେ ବୁଲୁଥିବା ଦେଖିବାକୁ ମିଳିଥିଲା। ସରକାର କହିଛନ୍ତି ଯେ ରିଲିଫ୍‌ କାର୍ଯ୍ୟ ଜୋରସୋରରେ ଚାଲିଛି ଏବଂ ଅନେକ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ମଧ୍ୟରାତ୍ରି ସୁଦ୍ଧା ଡଙ୍ଗା ଯୋଗେ ଉଦ୍ଧାର କରାଯାଉଛି।

ଗ୍ରେଟର ଚେନ୍ନାଇ କର୍ପୋରେସନର ବରିଷ୍ଠ ଅଧିକାରୀମାନେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ତଦାରଖ କରୁଛନ୍ତି ବୋଲି ପୌର ସଂସ୍ଥା କହିଛି। ନାଗରିକଙ୍କ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ହେଲ୍‌ପଲାଇନ ନମ୍ବର ଜାରି କରାଯାଇଛି। ତାମିଲନାଡୁର ମୁଖ୍ୟ ଶାସନ ସଚିବ ଶିବ ଦାସ ମୀନା ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ସହରର ଅନେକ ସ୍ଥାନରେ ଜଳ ନିଷ୍କାସନ କରାଯାଉଛି। ଯେଉଁଠି ପାଣି ନିଷ୍କାସିତ ହୋଇଛି ସେଠାରେ ରାସ୍ତା ସଫେଇ କରାଯାଉଥିବା ବେଳେ ପାନୀୟ ଜଳ ଯୋଗାଣକୁ ମଧ୍ୟ ସୁନିଶ୍ଚିତ କରାଯାଉଛି।

ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନଡିଆରଏଫ) ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏସ୍‌ଡିଆରଏଫ) ସମେତ ଅନେକ ଯବାନ ରିଲିଫ ଏବଂ ଥଇଥାନ କାର୍ଯ୍ୟରେ ନିୟୋଜିତ ଥିଲେ। ଜଳବନ୍ଦୀ ଅଞ୍ଚଳରେ ଖାଦ୍ୟ ପ୍ୟାକେଟ୍‌, ରୁଟି ଏବଂ କ୍ଷୀର ଯୋଗାଣ କରାଯାଉଥିବା ବେଳେ ପେରୁମ୍ବାକ୍କମ ଏବଂ ବରଦରାଜପୁରମର ଗୁରୁତର ପ୍ରଭାବିତ ଅଞ୍ଚଳକୁ ଡଙ୍ଗା ମୁତୟନ କରାଯାଇଛି ଏବଂ ବରିଷ୍ଠ ଅଧିକାରୀମାନେ ଉଦ୍ଧାର ଓ ଥଇଥାନ କାର୍ଯ୍ୟକୁ ତଦାରଖ କରୁଛନ୍ତି।