ହାଇଦ୍ରାବାଦ: ଚେନ୍ନାଇର ଜଣେ ଯୁବ ଇଞ୍ଜିନିୟରଙ୍କ ଜଘନ୍ୟ କାରନାମା ଏବେ ପଦାକୁ ଆସିବା ପରେ ସାଇବରାବାଦ୍ ପୁଲିସ୍ ତାଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଏହି ଯୁବ ଇଞ୍ଜିନିୟର ଜଣକ ସୁନ୍ଦରୀ ଯୁବତୀ ଓ ମହିଳମାନଙ୍କୁ ପଞ୍ଚତାରକା ହୋଟେଲର ଫ୍ରଣ୍ଟ ଅଫିସ୍ରେ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ପ୍ରତିବଦଳରେ ନିଜ ମୋବାଇଲ ହ୍ଵାଟସ୍ଆପ୍ରେ ସେମାନଙ୍କ ନଗ୍ନ ଶରୀରର ଫଟୋ ଓ ଭିଡିଓ ଆଦାୟ କରୁଥିଲେ। ଏହି କ୍ରମରେ ଦେଶର ୧୬ଟି ରାଜ୍ୟର ପ୍ରାୟ ୬୦୦ରୁ ଉର୍ଦ୍ଧ୍ୱ ଯୁବତୀଙ୍କ ଠାରୁ ସେ ସେମାନଙ୍କର ନଗ୍ନ ଶରୀରର ଫଟୋ ଓ ଭିଡିଓ ଆଦାୟ କରିଥିବା ପୁଲିସ୍ ଏବେ ଅନୁସନ୍ଧାନରୁ ଜାଣିବାକୁ ପାଇଛି।
ପୁଲିସ୍ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ ଅଭିଯୁକ୍ତ ରାଜ ଚେଜିୟାନ୍ ଓରଫ ପ୍ରଦୀପ ସାଇବରାବାଦର ଏକ ଆଇଟି କମ୍ପାନିରେ ଜଣେ ଇଞ୍ଜିନିୟର ଭାବେ କାର୍ଯ୍ୟ କରନ୍ତି। ତେବେ, ଅଭିଯୁକ୍ତ ପ୍ରଦୀପ ଏକ ଇ- କ୍ଲାସିଫାଏଡ୍ ପୋର୍ଟାଲରୁ ଯୁବତୀମାନଙ୍କର ମୋବାଇଲ ନମ୍ବର ସଂଗ୍ରହ କରି ସେମାନଙ୍କୁ ପଞ୍ଚତାରକା ହୋଟେଲର ଫ୍ରଣ୍ଟ ଅଫିସ୍ରେ ଚାକିରି କରାଇ ଦେବାର ପ୍ରତିଶ୍ରୁତି ଦିଅନ୍ତି ଏବଂ ପ୍ରତିବଦଳରେ ତାଙ୍କ ମୋବାଇଲ ହ୍ଵାଟସ୍ଆପ୍ରେ ସେମାନଙ୍କ ନଗ୍ନ ଶରୀରର ଫଟୋ ଓ ଭିଡିଓ ଆଦାୟ କରନ୍ତି। ଏବଂ ଏହାକୁ ଆଧାର କରି ପରବର୍ତ୍ତୀ ସମୟରେ ସଂପୃକ୍ତ ଯୁବତୀମାନଙ୍କୁ ବ୍ଲାକ୍ମେଲ କରି ଥାଆନ୍ତି।
/sambad/media/post_attachments/wp-content/uploads/2019/08/woman_cybercrime1.jpg)
ହେଲେ, ଚେନ୍ନାଇର ଜଣେ ଯୁବତୀ ପ୍ରଦୀପଙ୍କର ଏପ୍ରକାର ପ୍ରତାରଣାର ଶିକାର ହେବାପରେ ପୁଲିସ୍ରେ ଅଭିଯୋଗ କରିଥିଲେ। ଯୁବତୀଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଘଟଣାର ତଦନ୍ତ କରି ଅଭିଯୁକ୍ତ ପ୍ରଦୀପକୁ ଗତ ରାତିରେ ତା’ର ଚେନ୍ନାଇ ସ୍ଥିତ ବାସଭବନରୁ ଗିରଫ କରିଛି। ଗିରଫ ହେବାପରେ ଅଭିଯୁକ୍ତ ପ୍ରଦୀପ ଦେଶର ୧୬ଟି ରାଜ୍ୟର ପ୍ରାୟ ୬୦୦ରୁ ଉର୍ଦ୍ଧ୍ୱ ଯୁବତୀଙ୍କ ଠାରୁ ସେମାନଙ୍କର ନଗ୍ନ ଶରୀରର ଫଟୋ ଓ ଭିଡିଓ ଆଦାୟ କରିଥିବା ପୁଲିସ୍ ନିକଟରେ ସ୍ୱୀକାର କରିଛି।