୪୫ଦିନ ଅନିଦ୍ରା ରହିବା ପରେ ଭାରତୀୟ ମେକାନିକାଲ ଇଞ୍ଜିନିୟରଙ୍କୁ ମିଳିଥିଲା ଲ୍ୟାଣ୍ଡର ‘ବିକ୍ରମ’ର ପତ୍ତା

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ସୂକ୍ଷ୍ମ ଅବତରଣ କରିବା ପୂବର୍ରୁ ରହସ୍ୟଜନକ ଭାବେ ନିଖୋଜ ହୋଇ ଯାଇଥିଲା ଇସ୍ରୋ ଦ୍ବାରା ପଠାଯାଇଥିବା ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’। ଚନ୍ଦ୍ରର ଦକ୍ଷିଣ ମେରୁରେ ସୂକ୍ଷ୍ମ ଅବତରଣ କରାଇବାରେ ‘ବିକ୍ରମ’ ସଫଳ ହୋଇ ପାରି ନ ଥିଲା । ଚନ୍ଦ୍ର ପୃଷ୍ଠରେ ଅବତରଣସ୍ଥଳଠାରୁ ୨.୧ କିମି ଦୂରତାରେ ଲ୍ୟାଣ୍ଡର୍‌ ‘ବିକ୍ରମ’ ସହିତ ଇସ୍ରୋ କମାଣ୍ଡ ସେଣ୍ଟରର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ତେବେ ଲ୍ୟାଣ୍ଡର୍ ‘ବିକ୍ରମ’ ଚନ୍ଦ୍ରପୃଷ୍ଠରେ ନିଖୋଜ ହେବା ପ‌ରେ ମଙ୍ଗଳବାର ତାହାର ଭଗ୍ନାବଶେଷକୁ ଠାବ କରାଯାଇଛି। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଲ୍ୟାଣ୍ଡର ବିକ୍ରମର ଫଟୋ ଟୁଇଟ୍ କରିବା ସହ ଏହି ବିରଳ ସଫଳତା ପଛରେ ଚେନ୍ନାଇର ଜନୈକ ମେକାନିକାଲ ଇଞ୍ଜିନିୟର ଶାନ୍‌ମୁଗା ସୁବ୍ରମଣ୍ୟମଙ୍କ ହାତ ରହିଥିବା କହିଛି।

ଏବେ ମେକାନିକାଲ ଇଞ୍ଜିନିୟର ଶାନ୍‌ମୁଗା ସୁବ୍ରମଣ୍ୟମ ଏହି ବିଷୟକୁ ନେଇ ନିଜର ଅନୁଭୂତି ସେୟାର କରିଛନ୍ତି। ଲ୍ୟାଣ୍ଡର ବିକ୍ରମକୁ ଖୋଜିବା ପାଇଁ ସେ  କେତେ କଷ୍ଟ କରିଥିଲେ ତାହା ଜଣାଇଛନ୍ତି। ଦିନେ କି ଦୁଇ ଦିନ ନୁହେଁ ବରଂ ୪୫ଦିନ ପର୍ଯ୍ୟନ୍ତ ରାତି ଅନିଦ୍ରା ରହି ସେ ଲ୍ୟାଣ୍ଡର ବିକ୍ରମର ଭଗ୍ନାବଶେଷ ଖୋଜିବା ଆରମ୍ଭ କରିଥିଲେ। ତାଙ୍କ କହିବା ମୁତାବକ, ଲ୍ୟାଣ୍ଡର ବିକ୍ରମ ନିଖୋଜ ହେବା ପରେ ନାସା ପକ୍ଷରୁ ଉପଗ୍ରହ ପଠାଇଥିବା ଚିତ୍ର ଜାରି କରାଯାଇଥିଲା। ଏହା ପରେ ଚନ୍ଦ୍ରଯାନ  ପ୍ରତି ଥିବା ଭଲ ପାଇବା ଶାନ୍‌ମୁଗାଙ୍କୁ ବିକ୍ରମକୁ ଖୋଜିବା ପାଇଁ ବାଧ୍ୟ କରିଥିଲା। ଏ ନେଇ ସେ ରାତି ୮ଟାରୁ ଅଫିସରୁ ଆସିବା ପରେ ନାସା ଦ୍ବାରା ଜାରି ଚିତ୍ରକୁ ତନ୍ନ ତନ୍ନ କରି ପରୀକ୍ଷା କରନ୍ତି। ରାତି ୨ଟା ପର୍ଯ୍ୟନ୍ତ ସେ ଫଟୋକୁ ଯାଞ୍ଚ କରୁଥିବା ବେଳେ ପୁଣି ସକାଳ ୬ଟାରୁ ଉଠି ଚିତ୍ର ପରଖିବାରେ ଲାଗି ପଡ଼ିନ୍ତି । ୪୫ଦିନର ଚେଷ୍ଟା ପ‌ରେ ଗତ ଅକ୍ଟୋବର ୧୪ -୧୫ ତାରିଖରେ ‘ବିକ୍ରମ’କୁ ଚନ୍ଦ୍ରପୃଷ୍ଠରେ ଠାବ କରିଥିଲେ।

ଯାହା ପରେ ସୁବ୍ରମଣ୍ୟମ ‘ବିକ୍ରମ’ ସଂପର୍କରେ ହସ୍ତଗତ କରିଥିବା ସମସ୍ତ ତଥ୍ୟକୁ ନାସାକୁ ଟୁଇଟ୍ ଓ ମେଲ୍ କରିଥିଲେ। ସୁବ୍ରମଣ୍ୟମଙ୍କଠାରୁ ମିଳିଥିବା ତଥ୍ୟ ଆଧାରରେ ନାସାର ଲୁନାର ରେକନାଇଜେସନ୍‌ ଅର୍ବିଟର (ଏଲ୍‌ଆରଓ) ଶେ‌ଷରେ ଚନ୍ଦ୍ରପୃଷ୍ଠରେ ‘ବିକ୍ରମ’କୁ ଠାବ କରିବାରେ ସଫଳତା ପାଇଛି। ସୁବ୍ରମଣ୍ୟମଙ୍କ ଏ ବିରଳ ସଫଳତାକୁ ମଧ୍ୟ ନାସା ଭରପୂର ପ୍ରଶଂସା କରିବା ସହ ନାସା ପକ୍ଷରୁ ଆଧିକାରିକ ଭାବେ ଏକ ଇ-ମେଲ୍‌ ଜାରି କରାଯିବା ସହ ସୁବ୍ରମଣ୍ୟମଙ୍କ ପାଇଁ ବିକ୍ରମକୁ ଠାବ କରାଯିବା ସମ୍ଭବପର ହେଲା ବୋଲି ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର