ନୂଆଦିଲ୍ଲୀ: ସାମୁଦ୍ରିକ ଝଡ଼ ମିଗଜୋମ୍ ଫଳରେ ଚେନ୍ନାଇ ମହାନଗରୀରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚେନ୍ନାଇ ସହରରେ ଏକ ବନ୍ୟା ପ୍ରଶମନ ପ୍ରକଳ୍ପ ନିର୍ମାଣ ପାଇଁ ୫୬୧.୨୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଦେଶରେ ଏହା ପ୍ରଥମ ସହରାଞ୍ଚଳ ବନ୍ୟା ପ୍ରଶମନ ପ୍ରକଳ୍ପ।
ଚେନ୍ନାଇ ବାରମ୍ବାର ପ୍ରତିକୂଳ ପାଣିପାଗ ଜନିତ ବିପର୍ଯ୍ୟୟର ସାମ୍ନା କରୁଛି। ପ୍ରବଳ ବର୍ଷା ଫଳରେ ସହରରେ ବନ୍ୟା ଭଳି ସ୍ଥିତି ଉପୁଜୁଛି। ଏଭଳି ସ୍ଥିତିର ଜରୁରୀ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଉଚ୍ଚାଭିଳାଷୀ ସହରାଞ୍ଚଳ ବନ୍ୟା ପ୍ରଶମନ ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି। ଏଥିପାଇଁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନଡିଏମଏଫ)ରୁ ୫୬୧.୨୯ କୋଟି ଟଙ୍କା ପ୍ରଦାନ କରାଯିବ।
ଉକ୍ତ ପ୍ରକଳ୍ପ ଜରିଆରେ ଚେନ୍ନାଇ ସହରର ଅତ୍ୟଧିକ ବର୍ଷାଜଳ ପରିଚାଳନା ପାଇଁ ଉନ୍ନତ ଭିତ୍ତିଭୂମି ନିର୍ମାଣ କରାଯିବ। ଫଳରେ ବନ୍ୟା ବିପଦ ହ୍ରାସ ପାଇବ ଏବଂ ଲୋକଙ୍କ ଜୀବନ ଓ ଜୀବିକା ଉପରେ ବନ୍ୟାର କମ୍ ପ୍ରଭାବ ପଡ଼ିବ। ଦେଶରେ ସହରାଞ୍ଚଳ ବନ୍ୟା ନିୟନ୍ତ୍ରଣ ପାଇଁ ଏକ ପ୍ରଥମ ପ୍ରକଳ୍ପ ହୋଇଥିବାବେଳେ ଆଗାମୀ ଦିନରେ ଏଭଳି ବିପଦର ସମ୍ମୁଖୀନ ହେଉଥିବା ଅନ୍ୟ ସହର ପାଇଁ ମଧ୍ୟ ଏଭଳି ପ୍ରକଳ୍ପମାନ କରାଯାଇ ପାରିବ ବୋଲି ଆଶା ରଖାଯାଇଛି।