ବାପା ଚଲାଉଥିଲେ ଅଟୋ, ଜୋତା କିଣିବାକୁ ପାଖରେ ନ ଥିଲା ଟଙ୍କା; ଏବେ ଆଇପିଏଲରେ ଚମତ୍କାର ଖେଳୁଛନ୍ତି ଚେତନ ସକରିୟା

ନୂଆଦିଲ୍ଲୀ: ସଫଳତା ସେମାନଙ୍କୁ ମିଳିଥାଏ, ଯାହାଙ୍କ ମନରେ ଭରପୂର ଇଚ୍ଛା ଶକ୍ତି ରହିଥାଏ । ଯଦି କିଛି କରି ଦେଖାଇବାର ଇଚ୍ଛା ଥାଏ, ନିଜ ଉପରେ ଭରସା ଓ ଆତ୍ମବିଶ୍ୱାସ ରହିଥାଏ ତେବେ ସବୁ କିଛି ସମ୍ଭବ ହୋଇଥାଏ । ଏଭଳି ନିଜ ସ୍ୱପ୍ନକୁ ପୂରଣ କରିଛନ୍ତି ରାଜସ୍ଥାନ ରୟାଲ୍ସର ପେସ୍ ବୋଲର ଚେତନ ସକରିୟା । ଏବେ ସଂଘର୍ଷ ପରେ ସଫଳତାର ସ୍ୱାଦ ଚାଖିଛନ୍ତି ଚେତନ । ଥରେ କି ଦୁଇ ଥର ନୁହେଁ, ଏଭଳି ଅନେକ ଥର ନିଜ ଜୀବନରେ ସଂଘର୍ଷକୁ ସେ ସାମ୍ନା କରିଛନ୍ତି ।

ଚେତନ ସକରିୟାଙ୍କ ଜନ୍ମ ଗୁଜୁରାଟର ଭାବ ନଗରରେ । ବୟସ ମାତ୍ର ୨୩ ବର୍ଷ । କ୍ରିକେଟ ଖେଳିବା ପାଇଁ ତାଙ୍କ ଆଗ୍ରହ ତାଙ୍କୁ ଆଜି ବହୁତ ଆଗକୁ ନେଇଯାଇଛି । ହେଲେ ଗରିବ ଗଳିରୁ ବାହାରି କ୍ରିକେଟ ମୈଦାନକୁ ଆସିବାକୁ ତାଙ୍କୁ ଅନେକ କଷ୍ଟ କରିବାକୁ ପଡିଛି।

ପିଲା ବେଳୁ ଅନେକ ଅଭାବ ଅସୁବିଧାରେ ବଢିଛନ୍ତି ଚେତନ । ଚେତନଙ୍କ ବାପା ଜଣେ ଅଟୋ ଡ୍ରାଇଭର । ଅଟୋ ଚଲାଇ ନିଜ ପରିବାର ଚଳାନ୍ତି । ହେଲେ ୨-୩ ଥର ଦୁର୍ଘଟଣା ହେବା ପରେ ଅଟୋ ଚଲାଇବା ଛାଡିଦେଇଥିଲେ ଚେତନଙ୍କ ବାପା । ଏହା ପରେ ପରିବାରର ଭାର ଚେତନଙ୍କ ଉପରକୁ ଚାଲି ଆସିଥିଲା । ମାମୁଙ୍କ ଦୋକାନରେ ରହି କାମ କରିବା ସହ କ୍ରିକେଟ ମଧ୍ୟ ଖେଳୁଥିଲେ । ହେଲେ ଚେତନଙ୍କ ବାପା କ୍ରିକେଟ ଖେଳକୁ ପସନ୍ଦ କରୁ ନଥିଲେ । ସେ କହୁଥିଲେ କ୍ରିକେଟ ହେଉଛି ଧନୀମାନଙ୍କ ଖେଳ । ହେଲେ ଚେତନ ନିଜ ସ୍ୱପ୍ନକୁ କେବେ ବି ଛାଡି ନଥିଲେ ।

IPL 2021 Auction: Chetan Sakariya, story of the uncapped pacer from Saurashtra brought by RR for Rs 1.2 Crore
Free Press Journal

ଚେତନ ସୌରାଷ୍ଟ୍ର ପକ୍ଷରୁ ଘରୋଇ କ୍ରିକେଟ ଖେଳୁଥିଲେ । ଏହି ସମୟରେ ଖଣ୍ଡେ ଜୋତା କିଣିବାକୁ ବି ଚେତନଙ୍କ ପାଖରେ ଟଙ୍କା ନଥିଲା । ନେଟ୍ସରେ ବୋଲିଂ କରୁଥିବା ବେଳେ ସୌରାଷ୍ଟ୍ରର ସିନିୟର ଖେଳାଳି ସେଲ୍ଡନ ଜ୍ୟାକ୍ସନଙ୍କୁ ବୋଲ୍ଡ କରିଥିଲେ ଚେତନ । ଏଥିରେ ପ୍ରଭାବିତ ହୋଇ ସେଲ୍ଡନ ଚେତନଙ୍କୁ ନିଜ ଜୋତା ଉପହାର ଦେଇଥିଲେ ।

ହେଲେ ସେତେବେଳେ ଚେତନଙ୍କ ଜୀବନରେ ଦୁଃଖ ଆସିଥିଲା ଯେତେବେଳେ ସେ ତାଙ୍କ ସାନ ଭାଇକୁ ହରାଇଥିଲେ । ଏହି ସମୟରେ ଚେତନ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଖେଳୁଥିଲେ । ଏହି ଘଟଣା ପରିବାର ଲୋକ ତାଙ୍କୁ ଜଣାଇନଥିଲେ । ହେଲେ ପ୍ରାୟ ୧୦ ଦିନ ପରେ ନିଜ ଭାଇର ଆତ୍ମହତ୍ୟା ଖବର ଶୁଣି ଭାଙ୍ଗି ପଡିଥିଲେ ଚେତନ । ଏହାରି ଭିତରେ ନିଜ ମନକୁ ନିଜେ ଦମ୍ଭ ଦେଇଥିଲେ ।

ଏହାର ଠିକ ମାସେ ପରେ ତାଙ୍କ ଜୀବନକୁ ଆସିଥିଲା ଖୁସି । ସେ ସଫଳତାର ପ୍ରଥମ ପାହାଚରେ ପାଦ ଦେଇଥିଲେ । କାରଣ ଚେତନ ଆଇପିଏଲ ୨୦୨୧ ପାଇଁ ରାଜସ୍ଥାନ ଦଳରେ ସ୍ଥାନ ପାଇଥିଲେ । ଚେତନଙ୍କ ବେସ ପ୍ରାଇସ ଥିଲେ ୨୦ ଲକ୍ଷ । ହେଲେ ରାଜସ୍ଥାନ ତାଙ୍କୁ ୧ କୋଟି ୨୦ ଲକ୍ଷ ଟଙ୍କାରେ କିଣିଥିଲା । ଆଉ ଗରିବ ଗଳିରୁ ଆସିଥିବା ଏହି ଖେଳାଳି କୋଟିପତି ପାଲଟି ଯାଇଥିଲା । ଆଉ ଏବେ ରାଜସ୍ଥାନ ପକ୍ଷରୁ ମ୍ୟାଚ ଖେଳି ଚମତ୍କାର ପ୍ରଦର୍ଶନ କରୁଛନ୍ତି ଚେତନ ।

ସମ୍ବନ୍ଧିତ ଖବର