ନୂଆଦିଲ୍ଲୀ (ନଇମ୍ ଅଖତାର) : ଓଡ଼ିଶାର ସ୍ବାର୍ଥ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ମହାନଦୀ ଜଳବିବାଦ ମାମଲା ଗତ ୧୩ ମାସରୁ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ବର୍ତ୍ତମାନ ଏହି ମାମଲାକୁ ନେଇ କୌଣସି ପ୍ରକାର ଆଦେଶ ଟ୍ରିବ୍ୟୁନାଲ ଶୁଣାଇ ନାହାନ୍ତି। ଆସନ୍ତାକାଲି ଛତିଶଗଡ଼ର ଏକ ବୈଷୟିକ ଟିମ୍ ଓଡ଼ିଶା ଗସ୍ତ କରି ମହାନଦୀ ପ୍ରକଳ୍ପଗୁଡ଼ିକର ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଓଡ଼ିଶାର ଏକ ବୈଷୟିକ ଟିମ୍ ମଧ୍ୟ ଛତିଶଗଡ଼ ଗସ୍ତ କରିବ। ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ପରେ ଦୁଇ ରାଜ୍ୟଙ୍କ ଦ୍ବାରା ଆପୋଷ ଆଲୋଚନା ସମ୍ପର୍କିତ ବିବରଣୀ ଟ୍ରିବ୍ୟୁନାଲରେ ଉପସ୍ଥାପନ କରାଯିବ। ଏହାପରେ ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନର ଭାଗ୍ୟ ନିର୍ଦ୍ଧାରଣ ଦେବାର ସମ୍ଭାବନା ରହିଛି। ଜଳବଣ୍ଟନ ଭଳି ଏକ ଅତି ସମ୍ବେଦନଶୀଳ ଓ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନର ରାୟ ୨୦୧୯ରେ ସଂରକ୍ଷିତ ରଖାଯାଇଥିବା ବେଳେ ୨୦୨୦ରେ ରାୟ ଟ୍ରିବ୍ୟୁନାଲ ପ୍ରକାଶ କରିପାରନ୍ତି। ଫେବ୍ରୁଆରି ୧କୁ ଟ୍ରିବ୍ୟୁନାଲ ଏହି ମାମଲାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି।
/sambad/media/post_attachments/wp-content/uploads/2019/03/Mahanadi1-694x430.jpg)
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେନ୍ଦ୍ର ସରକାର ମହାନଦୀ ଜଳବିବାଦର ସମାଧାନ ଲାଗି ମାର୍ଚ୍ଚ ୧୨, ୨୦୧୮ରେ ଟ୍ରିବ୍ୟୁନାଲ ଗଠନ କରିଥିଲେ। ଅକ୍ଟୋବର ୧୩, ୨୦୧୮ରୁ ଟ୍ରିବ୍ୟୁନାଲ ଶୁଣାଣି ଆରମ୍ଭ କରିଥିଲା। ଟ୍ରିବ୍ୟୁନାଲ ଗଠନ କରାଯିବା ପରେ ଓଡ଼ିଶା ପକ୍ଷରୁ ତତ୍ପରତା ପ୍ରକାଶ କରାଯାଇ ୫ ଜଣିଆ ଆଡଭୋକେଟଙ୍କର ଏକ ଟିମ୍ ଗଠନ କରାଯାଇ ଓଡ଼ିଶାର ପକ୍ଷକୁ ଦୃଢ଼ ଭାବେ ଉପସ୍ଥାପନ କରିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଥିଲା। ଗତ ବର୍ଷ ଟ୍ରିବ୍ୟୁନାଲ ଏହି ମାମଲାର ୯ ଥର ଶୁଣାଣି କରିଥିଲେ। ହେଲେ ଦୁଇ ରାଜ୍ୟର ଜଳବିବାଦକୁ ନେଇ ଟ୍ରିବ୍ୟୁନାଲ କୌଣସି ପ୍ରକାର ଆଦେଶ ଶୁଣାଇ ନଥିଲେ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଗଠନ ହେବା ପରେ ଓଡ଼ିଶା ଦ୍ବାରା ଟ୍ରିବ୍ୟୁନାଲରେ ମଧ୍ୟବର୍ତ୍ତୀକାଳୀନ ଆବେଦନ ଦାଖଲ କରାଯାଇ ଅଣମୌସୁମୀ ଋତୁରେ ଓଡ଼ିଶାକୁ ୧.୭୪ ନିୟୁତ ଏକର ଫୁଟ୍ ଜଳ ମହାନଦୀରେ ଛାଡ଼ିବା ସହିତ ଛତିଶଗଡ଼ରେ ନିର୍ମାଣାଧୀନ ବ୍ୟାରେଜଗୁଡ଼ିକ ଉପରେ ରହିତାଦେଶ ଜାରିକରିବାକୁ ପ୍ରାର୍ଥନା କରାଯାଇଥିଲା। ଟ୍ରିବ୍ୟୁନାଲ ଶୁଣାଣିର ପ୍ରାରମ୍ଭରେ ଓଡ଼ିଶାର ମୂଳ ଆବେଦନର ଶୁଣାଣି ନ କରି ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣି କରିଥିଲେ। ଗତ ବର୍ଷ ଫେବ୍ରୁାଆରୀ ୯ରେ ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣି ଶେଷ କରି ରାୟ ଦେବା ପରିବର୍ତ୍ତେ ବିବାଦର ଆପୋଷ ସମାଧାନ ପାଇଁ ଦୁଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଯଦି ଦୁଇ ରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା ମାଧ୍ୟମରେ କୌଣସି ସମାଧାନ ନ ହୁଏ ତା’ହେଲେ ମଧ୍ୟବର୍ତ୍ତୀକାଳୀନ ଆବେଦନର ରାୟ ଶୁଣାଇବେ ବୋଲି ଟ୍ରିବ୍ୟୁନାଲ କହିଥିଲେ।