ଛତିଶଗଡ଼ ମନ୍ତ୍ରିମଣ୍ଡଳ ସମ୍ପ୍ରସାରିତ: ସାମିଲ ହେଲେ ୯ ନୂଆ ମନ୍ତ୍ରୀ

ରାୟପୁର: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଆଜି ତାଙ୍କ ମନ୍ତ୍ରିମଣ୍ଡଳର ପ୍ରଥମ ସମ୍ପ୍ରସାରଣ କରିଛନ୍ତି। ମନ୍ତ୍ରିମଣ୍ଡଳର ଏହି ପ୍ରଥମ ସମ୍ପ୍ରସାରଣରେ ଜଣେ ମହିଳାଙ୍କ ସହିତ ମୋଟ୍‌ ୯ ଜଣ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି।

ଛତିଶଗଡ଼ ରାଜ୍ୟପାଳ ଆନନ୍ଦବେନ ପଟେଲ ଆଜି ପୋଲିସ ପ୍ୟାରେଡ୍‌ ପଡ଼ିଆରେ ନୂଆମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତା ଶପଥପାଠ କରାଇଛନ୍ତି। ହିନ୍ଦୀରେ ଶପଥ ଗ୍ରହଣ କରିଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ମହମ୍ମଦ ଆକବର, ଉମେଶ ପଟେଲ, ଅନିଲା ଭେଡିଆ, ରବୀନ୍ଦ୍ର ଚୌବେ ପ୍ରମୁଖ ଅଛନ୍ତି।

ସୂଚନାଯୋଗ୍ୟ ଯେ ଗତ ୧୭ ତାରିଖରେ ଶ୍ରୀ ବଘେଲ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ବଘେଲଙ୍କ ସହିତ ସେହିଦିନ ଟି ଏସ ସିଂହଦେଓ ଓ ତାମ୍ରଧ୍ୱଜ ସାହୁ ମଧ୍ୟ କ୍ୟାବିନେଟ୍‌ ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଥିଲେ। ୯୦ ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭାରେ କଂଗ୍ରେସ ଦଳ ଦୁଇ ତୃତୀୟାଂଶ ଆସନ ଜିଣି କ୍ଷମତାସୀନ ହୋଇଛି। ତେବେ ନିୟମ ଅନୁଯାୟୀ, ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କୁ ଲଗାଇ ମୋଟ୍‌ ୧୩ ଜଣ ମନ୍ତ୍ରୀ ରହି ପାରିବେ। ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ସହିତ ବର୍ତ୍ତମାନ ଏହି ସଂଖ୍ୟା ୧୨ରେ ପହଞ୍ଚିଛି। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ବଘେଲ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିପାରନ୍ତି ବୋଲିି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର