ରାୟପୁର: ଗତକାଲି ଛତିଶଗଡ଼ର ତରେମ୍ ଜଙ୍ଗଲରେ ନକ୍ସଲ୍ମାନଙ୍କ ସହ ଗୁଳି ବିନିମୟ ଆରମ୍ଭ ବେଳୁ ଏପର୍ଯ୍ୟନ୍ତ ପ୍ରାୟ ୨୧ଜଣ ଯବାନ ନିଖୋଜ ହୋଇଥିବା କୁହାଯାଉଛି। ନିଖୋଜ ଯବାନମାନଙ୍କର ସନ୍ଧାନ ନିମନ୍ତେ ତଲାସ ଅଭିଯାନ ଚାଲିଥିବା କଥା ଛତିଗଡ଼ର ପୁଲିସ ମହାନିର୍ଦେଶକ ଡିଏମ୍ ଅଓ୍ଵସ୍ତି କହିଛନ୍ତି।
ସୁକ୍ମା-ବିଜାପୁର ସୀମାନ୍ତରେ ନିରାପତ୍ତା ବଳ ନକ୍ସଲ୍ ଦମନ ଅଭିଯାନ ଆରମ୍ଭ କରିଥିବା ବେଳେ ନକ୍ସଲ୍ମାନଙ୍କ ସହ ଭୀଷଣ ଗୁଳି ବିନିମୟ ଘଟିବା ଫଳରେ ୫ଜଣ ଯବାନ ସହିଦ ହେବା ସହ ଅନ୍ୟ ୨୦ଜଣ ଆହତ ହୋଇଥିଲେ।
ପରିସ୍ଥିତିର ସମୀକ୍ଷା କରିବା ଲାଗି ‘ସିଆର୍ପିଏଫ୍’ର ମହାନିର୍ଦେଶକ କୁଳଦୀପ ସିଂହ ସମ୍ପ୍ରତି ଛତିଗଡ଼ ଅଭିମୁଖେ ଯାତ୍ରା କରିଛନ୍ତି।
ସରକାରୀ ଅଧିକାରୀମାନେ କହିଛନ୍ତି, ସମୁଦାୟ ୨୪ଜଣ ଆହତ ଯବାନଙ୍କୁ ବିଜାପୁର ଡାକ୍ତରଖାନାକୁ ଅଣାଯାଇଥିଲା। ଅନ୍ୟୂନ ୭ଜଣଙ୍କୁ ଉନ୍ନତ ଚିକିତ୍ସା ନିମନ୍ତେ ରାୟପୁର ହସ୍ପିଟାଲ୍କୁ ରେଫର୍ କରାଯାଇଛି।

ଛତିଶଗଡ଼ରେ ସହିଦ ହୋଇଥିବା ନିରାପତ୍ତା କର୍ମଚାରୀଙ୍କ ପ୍ରତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୋକବ୍ୟକ୍ତ କରିଛନ୍ତି। ତରେମ୍ରେ ଯବାନମାନଙ୍କୁ ଅତର୍କିତ ଆକ୍ରମଣ କରିଥିବା ମାଓବାଦୀମାନଙ୍କୁ ଉଦ୍ଦେଶ୍ୟ କରି ଶାହ କହିଛନ୍ତି, ଶାନ୍ତି ଓ ପ୍ରଗତିର ଏହି ଶତ୍ରୁମାନଙ୍କ ବିରୋଧରେ ଆମେ ସଂଗ୍ରାମ ଜାରି ରଖିବୁ।
ଏହି ଗୁଳିବିନିମୟ ଘଟଣାରେ ୧୫ରୁ ଊର୍ଦ୍ଧ୍ୱ ମାଓବାଦୀ ନିହତ ହୋଇଥିବା କଥା ନିରାପତ୍ତା ବଳ ଆକଳନ କରୁଛି।
ସହିଦ ହୋଇଥିବା କର୍ତ୍ତବ୍ୟରତ ‘ସିଆର୍ପିଏଫ୍’ ଯବାନଙ୍କ ପ୍ରତି ରବିବାର ସକାଳେ ଜଗଦଳପୁର ଶିବିରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।