ଛତିଶଗଡ଼: ମାଓବାଦୀଙ୍କ ସହ ଗୁଳି ବିନିମୟ କରି ୨୨ ଯବାନ ସହିଦ, ୩୧ ଆହତ

ରାୟପୁର: ଶନିବାର ଦିନ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓବାଦୀମାନେ ଅତର୍କିତ ଆକ୍ରମଣ କରିବାରୁ ଅନ୍ୟୂନ ୨୨ଜଣ ଯବାନ ସହିଦ ହୋଇଛନ୍ତି ଏବଂ ଆହୁରି ୩୧ଜଣ ଯବାନ ଆହତ ହୋଇଛନ୍ତି।

ଗଣମାଧ୍ୟମକୁ ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି, ଗୁଳି ବିନିମୟ ସ୍ଥଳରେ ବିଛାଡ଼ି ହୋଇ ପଡ଼ିଥିବା ୨୦ଜଣ ଯବାନଙ୍କର ରକ୍ତରଞ୍ଜିତ ଶବ ଉଦ୍ଧାର କରିଛୁ। ସହିଦ ଯବାନଙ୍କ ସଂଖ୍ୟା ୨୨ କିଂବା ୨୩କୁ ବୃଦ୍ଧି ପାଇପାରେ।

ରବିବାର ସକାଳେ ଘଟଣାସ୍ଥଳକୁ ଯାଇଥିବା ଦଳେ ସ୍ଥାନୀୟ ସାମ୍ବାଦିକ ମଧ୍ୟ ଅନ୍ୟୂନ ୨୦ଜଣ ଯବାନ ସହିଦ ହୋଇଥିବା କଥା ସୁନିଶ୍ଚିତ କରିଛନ୍ତି।

ଆହୁରି କେତେଜଣ ଯବାନ ନିଖୋଜ ଥିବା ଖବର ମଧ୍ୟ ଆସିଛି। ନିଖୋଜ ଯବାନମାନଙ୍କୁ ଠାବ କରିବା ଲାଗି ବ୍ୟାପକ ତଲାସ ଅଭିଯାନ ଆରମ୍ଭ ହୋଇଛି।

Image Courtesy of India Today

ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି, ୧୫ଜଣ କୋବ୍ରା ଯବାନଙ୍କ ସମେତ ୩୧ଜଣ ନିରାପତ୍ତା କର୍ମଚାରୀ ଆହତ ହୋଇଛନ୍ତି। କିନ୍ତୁ, କେତେଜଣ ଯବାନ ନିଖୋଜ ହୋଇଛନ୍ତି ତାହା ଏପର୍ଯ୍ୟନ୍ତ ଠିକ୍‌ ଭାବେ ଜଣା ପଡ଼ିନାହିଁ। ଏହି ଅଭିଯାନରେ ଚାରିଟି ଶିବିରର ନିରାପତ୍ତା କର୍ମଚାରୀମାନେ ଯାଇଥିଲେ। ନିଖୋଜ ଯବାନମାନଙ୍କ ସଂଖ୍ୟା ଜାଣିବାକୁ କିଛି ସମୟ ଲାଗିବ।

କେତେଜଣ ଆହତ ଯବାନଙ୍କୁ ରାୟପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୨୩ଜଣଙ୍କୁ ବିଜାପୁର ଡାକ୍ତରଖାନାକୁ ଅଣାଯାଇଛି।
ରାଜ୍ୟ ଗୃହମନ୍ତ୍ରୀ ତାମ୍ରଦ୍ୱାଜ ସାହୁ କହିଛନ୍ତି, ଏପ୍ରିଲ୍‌ ୨ ତାରିଖ ଦିନ ବିଜାପୁର ଓ ସୁକମା ଜିଲ୍ଲାର ଜଙ୍ଗଲରେ ଥିବା ମାଓବାଦୀମାନଙ୍କ ଗଡ଼ରେ ନକ୍ସଲ୍‌-ବିରୋଧୀ ଅଭିଯାନ ନିମନ୍ତେ ୨୦୦୦ରୁ ଅଧିକ ନିରାପତ୍ତା କର୍ମଚାରୀ ଯାଇଥିବା ବେଳେ ଏପ୍ରିଲ୍‌ ୩ ତାରିଖ ଅପରାହ୍ଣରେ ତରେମ୍‌ ଅଞ୍ଚଳରେ ମାଓବାଦୀଙ୍କ ଆକ୍ରମଣର ସରବ୍ୟ ହୋଇଥିଲେ।

୫ଘଣ୍ଟାରୁ ଅଧିକ ସମୟ ଧରି ମାଓବାଦୀ ଏବଂ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର