ନୂଆଦିଲ୍ଲୀ: ପଡ଼ୋଶୀ  ଛତିଶଗଡ଼, ମିଜୋରାମରେ ଚାଲିଥିବା ବିଧାନସଭା ନିର୍ବାଚନରେ ଭଲ ମତଦାନ ହୋଇଛି । ଛତିଶଗଡ଼ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ମିଜୋରାମରେ ସମସ୍ତ ୪୦ଟି ଆସନ ପାଇଁ ମତଦାନ ପ୍ରକ୍ରିୟା ସରିଛି ।  ଛତିଶଗଡ଼ରେ ସଂଧ୍ୟା ୫ଟା ସୁଦ୍ଧା ୭୦.୮୭ ପ୍ରତିଶତ ମତଦାନ ହୋଇଥିବା ବେଳେ ମିଜୋରାମରେ ୭୭.୦୪ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ଛତିଶଗଡ଼ର ମାଓବାଦୀ ପ୍ରଭାବିତ ବସ୍ତର ଡିଭିଜନ୍ ସମେତ ରାଜନନ୍ଦଗାଓଁ, ମୋହଲା-ମାନପୁର-ଅମ୍ବାଗଡ଼ଚୌକି, କବିରଧାମ ଏବଂ ଖୈରାଗଡ଼-ଛୁଇଖାଦାନ-ଗଣ୍ଡାଇରେ ମତଦାନ କରିଛନ୍ତି ଭୋଟର । ନକ୍ସଲଙ୍କ ଧମକକୁ ବେଖାତିର କରି ବହୁ ସଂଖ୍ୟାରେ ଭୋଟର ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ନିଜର ମତ ସାବ୍ୟସ୍ତ କରିଛଛନ୍ତି । ଛତିଶଗଡ଼ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବହୁ ହେଭିୱେଟ ନେତା ମଇଦାନକୁ ଓହ୍ଳାଇ ନିଜ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି ।

Advertisment

ଛତିଶଗଡ଼ରେ ନଭେମ୍ବର ୧୭ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ‌ଅନୁଷ୍ଠିତ । ଅବଶିଷ୍ଟ ୭୦ଟି ଆସନ ପାଇଁ ପଡ଼ିବ ଭୋଟ୍ । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହେବାକୁ ଥିବା ଆସନଗୁଡ଼ିକରେ ଜୋରଦାର ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସୂରଜପୁର, ବିଶ୍ରାମପୁର ଜିଲ୍ଲାରେ ନିର୍ବାଚନୀ ରାଲିରେ କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କଂଗ୍ରେସ କେବଳ ପ୍ରତିଶ୍ରୁତି ଦିଏ ହେଲେ ପୂରଣ କରେନି, ଛତିଶଗଡ଼ରେ କଂଗ୍ରେସ ସରକାର ଆସିବା ଦିନରୁ ରାଜ୍ୟରେ ନକ୍ସଲ ହିଂସା ବଢିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ସେପଟେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଛତିଶଗଡ଼ର ବିଭିନ୍ନ ସ୍ଥାନରେ ନିର୍ବାଚନୀ ରାଲିରେ ବିଜେପିକୁ ପାଲଟା ଆକ୍ରମଣ କରିଛନ୍ତି । ବିଜେପି ଶାସନରେ କେବଳ ଧନୀକ ଶ୍ରେଣୀଙ୍କ ବିକାଶ ହେଉଥିବା ବେଳେ ଗରିବା ଅଧିକାର କ୍ଷୁର୍ଣ୍ଣ ହେଉଥିବା ପ୍ରିୟଙ୍କା କହିଛନ୍ତି ।