ରାୟପୁର: ଛତିଶଗଡ଼ରେ ବିଜେପି କ୍ଷମତାକୁ ଫେରିଛି। ନିର୍ବାଚନରେ ବିଜୟୀ ହେବା ପରେ ସରକାର ଗଠନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ତେବେ ଏଠାରେ ଦଳ କାହାକୁ ମୁଖ୍ୟମନ୍ତ୍ରୀ ଚୌକିରେ ବସାଇବା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। କିନ୍ତୁ ୪ ଜଣ ନେତାଙ୍କ ନାମ ଚର୍ଚ୍ଚାରେ ରହିଛି। ସେମାନେ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ, ଅରୁଣ ସାଓ ଏବଂ ବିଷ୍ଣୁଦେବ ସାଏ।

Advertisment

ରମଣ ସିଂହ ୩ ଥର ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ପୂର୍ବରୁ ହୋଇ ସାରିଛନ୍ତି। ୨୦୦୩ରୁ ୨୦୧୮ ପର୍ଯ୍ୟନ୍ତ ସେ ରାଜ୍ୟରେ ଶାସନ କରିଛନ୍ତି। ତାଙ୍କ ସମୟରେ ରାଜ୍ୟରେ ଅନେକ ଜନକଲ୍ୟାଣ ଯୋଜନା କାର୍ଯ୍ୟକାରୀ ହୋଇଛି। ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କର ମଧ୍ୟ ନିକଟତର। ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଯାଇ ପାରେ ବୋଲି କୁହାଯାଉଛି। ଏହାବ୍ୟତୀତ ବିଳାସପୁର ସାଂସଦ ଅରୁଣ ସାଓ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିବା କୁହାଯାଉଛି। ସେ ପଛୁଆ ବର୍ଗ‌ର ଜଣେ ଟାଣୁଆ ନେତା। ଓବିସି ବର୍ଗର ଲୋକଙ୍କ ମଧ୍ୟରେ ସାହୁ ସମାଜରର ସଂଖ୍ୟା ସବୁଠୁ ଅଧିକ। ତେଣୁ ତାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ କରାଯାଇପାରେ। କେନ୍ଦ୍ରରେ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଥିବା ରେଣୁକା ସିଂହ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅଛନ୍ତି। ଏହାବ୍ୟତୀତ ଅନ୍ୟଜଣେ ଆଦିବାସୀ ନେତା ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଷ୍ଣୁଦେବ ସାଏ। ୫୯ ବର୍ଷୀୟ ବିଷ୍ଣୁଦେବ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ଥିବା କୁହାଯାଉଛି।