ରାୟପୁର: ଛତିଶଗଡ଼ର ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ସଂଖ୍ୟା ବୃଦ୍ଧି ପାଇଁ ସମ୍ବିଧାନ ଅନୁଯାୟୀ ପଦକ୍ଷେପ ନେବାକୁ ଛତିଶଗଡ଼ର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟ କ୍ୟାବିନେଟରେ ମନ୍ତ୍ରୀ ସଂଖ୍ୟା ବୃଦ୍‌ଧି କରିବା ପାଇଁ ସମ୍ବିଧାନର ୧୬୪(୧ କ)ର ଆବଶ୍ୟକ ସଂଶୋଧନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ବଘେଲ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଶନିବାର ଦିନ ଚିଠି ଲେଖି ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ ଯେ ଗତ ଡିସେମ୍ବର ୧୭ ତାରିଖ ଦିନ ଶ୍ରୀ ବଘେଲ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ।ତେବେ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ, ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀଙ୍କୁ ଲଗାଇ ମୋଟ୍‌ ୧୩ ଜଣ ମନ୍ତ୍ରୀ ରହି ପାରିବାର ବ୍ୟବସ୍ଥା ରହିଛି ମାତ୍ର ଶ୍ରୀ ବଘେଲ ଏହି ସଂଖ୍ୟା ଅନ୍ୟୁନ ୧୯ କରିବାକୁ ଚାହୁଁଛନ୍ତି। କିନ୍ତୁ ଶ୍ରୀ ବଘେଲ ପ୍ରଧାନମନ୍ତ୍ରୀଙ୍କୁ ଚିିଠି ଲେଖି କହିଛନ୍ତି ଯେ ଛତିଶଗଡ଼ର ଭୌଗଳିକ ସ୍ଥିତି ଯାହା, ଏହାର ବିକାଶ ପାଇଁ ମନ୍ତ୍ରୀ ମଣ୍ଡଳର ସଂଖ୍ୟା ବୃଦ୍ଧିି କରାଯିବା ନିହାତି ଆବଶ୍ୟକ। ଛତିଶଗଡ଼ର ଭୌଗଳିକ ଅଞ୍ଚଳ ତେଲେଙ୍ଗାନା, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ବିହାର ଠାରୁ ଅଧିକ। ରାଜ୍ୟ ଜନସଂଖ୍ୟାର ୧୨ ପ୍ରତିଶତ ତଫସିଲଭୁକ୍ତ ଜାତିର, ପ୍ରାୟ ୩୨ ପ୍ରତିଶତ ତଫସିଲଭୁକ୍ତ ଜନଜାତିର ଲୋକେ ଥିବାରୁ, ସମସ୍ତ ବର୍ଗର ବିକାଶ ସହିତ ସମଗ୍ର ଅଞ୍ଚଳର ପ୍ରଶାସନିକ ସୁଲଭତା ପାଇଁ ରାଜ୍ୟର ମନ୍ତ୍ରୀ ସଂଖ୍ୟା ୧୫ ପ୍ରତିଶତ ବଦଳରେ ଆଉ ୫ ଶତ ବୃଦ୍ଧିି କରି ୨୦ ପ୍ରତିଶତ କରିବାକୁ ଶ୍ରୀ ବଘେଲ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି। ଏ ଦିଗରେ ଆବଶ୍ୟକ ସମ୍ବିଧାନ ସଂଶୋଧନ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।