କଂଗ୍ରେସ ଦେଲା ୩୫ ଲକ୍ଷ ଟି-ସାର୍ଟ ଅର୍ଡର, ଲେଖା ରହିବ ‘ଉଡ଼ିଗଲା ବିକାଶର ଚଢ଼େଇ’

ରାୟପୁର: ଲୋକସଭା ନିର୍ବାଚନ ଓ ଛତିଶଗଡ଼ ସମେତ ଅନ୍ୟ ରାଜ୍ୟମାନଙ୍କରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ମୋଦି ସରକାର ଓ ବିଜେପି ବିରୋଧରେ ଅଭିଯାନକୁ ତୀବ୍ର କରିଦେଇଛି। ବିଜେପି ବିରୋଧରେ ଏବେ କଂଗ୍ରେସ ଅଦ୍ଭୁତ ପ୍ରଚାର ଅଭିଯାନ ଆରମ୍ଭ କରିଛି। ଏଥି ସହିତ ଛତିଶଗଡ଼ରେ ବିରୋଧୀ ପାର୍ଟି ଭାବେ କଂଗ୍ରେସ ଦଳ ବିଜେପି ସରକାରଙ୍କ ବିକାଶ ମଡେଲ ବିରୋଧରେ ଟି-ସାର୍ଟ ବାଣ୍ଟିବା ଆରମ୍ଭ କରି ଦେଇଛି।

କଂଗ୍ରେସ ପାର୍ଟି ନିଜର କର୍ମକର୍ତ୍ତାଙ୍କୁ ଏକ ଲକ୍ଷ ଟି-ସାର୍ଟ ବାଣ୍ଟିବା ଆରମ୍ଭ କରି ଦେଇଥିବା ବେଳେ ପାଖାପାଖି ୩୫ ଲକ୍ଷ ଟି-ସାର୍ଟ ଅର୍ଡର ଦେଇଛି, ଯେଉଁଥିରେ ଉଡ଼ିଗଲା ବିକାଶର ଚଢ଼େଇ’ ସ୍ଲୋଗାନ ଲେଖାଯାଇଛି। ବିଜେପି ଦ୍ୱାରା ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ ହୋଇ ପାରି ନଥିବାରୁ କଂଗ୍ରେସକୁ ଉପହାସ କରିବାକୁ ସୁଯୋଗ ମିଳିଛି। ଛତିଶଗଡ଼ରେ କଂଗ୍ରେସର କର୍ମକର୍ତ୍ତାମାନେ ଏହି ଟି-ସାର୍ଟ ପିନ୍ଧିଥିବାର ଦେଖାଯାଉଛି।

କଂଗ୍ରେସର ଏହି ଧଳା ଟି-ସାର୍ଟକୁ ହଳଦିଆ ଓ କଳା ରଂଗରେ ଡିଜାଇନ କରାଯାଇଛି, ଯାହାକି ସାଧାରଣ ଲୋକଙ୍କ ଦୃଷ୍ଟିରେ ଆସିବ। ଭିଡ଼ ଥିବା ସ୍ଥାନମାନଙ୍କରେ ତଥା ରାସ୍ତାରେ ଯାଉଥିବା ଲୋକ ମଧ୍ୟ କଂଗ୍ରେସ କର୍ମକର୍ତ୍ତାଙ୍କ ଆଖ-ପାଖରେ ରହୁଥିବା ଲୋକଙ୍କୁ ଦେଖୁଛନ୍ତି। ଟି-ସାର୍ଟରେ ଉଲ୍ଲେଖ ଥିବା ସ୍ଲୋଗାନକୁ ଅତି ଗମ୍ଭୀରତାର ସହିତ ପଢୁଛନ୍ତି।

ଚଳି ବର୍ଷ ଶେଷ ଆଡ଼କୁ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ହେବ। ରାଜ୍ୟର କ୍ଷମତାସୀନ ବିଜେପି ସରକାର ବିରୋଧରେ କଂଗ୍ରେସ ଦୁର୍ନୀତି ଅଭିଯୋଗ ଆଣିଛି। ଛତିଶଗଡ଼ରେ ବିଜେପି ବିରୋଧରେ ଏହି ଅଭିଯାନ କେତେ ସଫଳ ହେବ, ତାହା ସମୟ କହିବ ବୋଲି ରାଜନୀତି ବିଶେଷଜ୍ଞମାନେ କହୁଛନ୍ତି।

ସମ୍ବନ୍ଧିତ ଖବର