ବେଟିଂ ଆପ୍ ଉପରେ ଛତିଶଗଡ଼ର କୋରଡ଼ା, ୨୫୦ରୁ ଊର୍ଦ୍ଧ୍ବ ଗିରଫ

ରାୟପୁର: ଗତ ମାସକ ଭିତରେ ଛତିଶଗଡ଼ ପୁଲିସ ଅନ୍‌ଲାଇନ୍ ବେଟିଂ ପାଇଁ ଲୋକଙ୍କୁ ପ୍ରଲୋଭିତ କରୁଥିବା ପ୍ରାୟ ୨୫୦ରୁ ଅଧିକ ଲୋକଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଏକ ଆପ୍ ଡାଉନଲୋଡ କରି ତା’ ମାଧ୍ୟମରେ ବେଟିଂ (ବାଜି ମାରିବା) ପାଇଁ ଲୋକଙ୍କୁ ପ୍ରବର୍ତ୍ତାଯାଉଥିଲା। ଆପ୍‌ଟିକୁ ଦୁବାଇରୁ କିଛି ଲୋକ ପରିଚାଳନା କରୁଥିବା ବେଳେ ଭାରତରେ, ମୁଖ୍ୟତଃ ଛତିଶଗଡ଼ରେ ଏହାର ପ୍ରାୟ ୩୦ଟି କେନ୍ଦ୍ର ଖୋଲାଯାଇଥିଲା। ଏହି କେନ୍ଦ୍ରଗୁଡ଼ିକ ମାଧ୍ୟମରେ ୨୦୦ କୋଟିରୁ ଅଧିକ ଟଙ୍କାର କାରବାର ହୋଇଥିବା ପୁଲିସ ପ୍ରକାଶ କରିଛି। ୨୫ଟି ମାମଲାରେ ପୁଲିସ ଏପର୍ଯ୍ୟନ୍ତ ୨୫୮ ଜଣ ଲୋକଙ୍କୁ ଗିରଫ କରିଛି। ଉକ୍ତ ଆପ୍‌କୁ ପ୍ରାୟ ୪ ନିୟୁତ ଲୋକ ଡାଉନଲୋଡ କରିଛନ୍ତି ଏବଂ ଅଧିକାଂଶ ବାଜି ୧୦୦୦ରୁ ୫୦୦୦ ଟଙ୍କା ଭିତରେ ମରାଯାଇଛି।

ଦୁର୍ଗ ଜିଲ୍ଲାର ଏସ୍‌ପି ଅଭିଷେକ ପଲ୍ଲବଙ୍କ କହିବା ଅନୁସାରେ ମହାଦେବ ଆପ୍‌ର ସେଣ୍ଟର ଚଳାଇବାକୁ ଓ ଆଡ୍‌ମିନ ହେବାକୁ ୨୦ ଲକ୍ଷ ଟଙ୍କା ଜମା କରିବାକୁ ପଡ଼େ। ଏହି କେନ୍ଦ୍ରଗୁଡ଼ିକ ଲୋକଙ୍କୁ ପ୍ରଲୋଭିତ କରିବା ପାଇଁ ଏଜେଣ୍ଟ ନିଯୁକ୍ତ କରନ୍ତି ଓ ସେମାନଙ୍କୁ ସ୍ବତନ୍ତ୍ର ଆଇଡି ଦିଅନ୍ତି। ଯେତିକି ଟଙ୍କାର ବାଜି ମରାହେବ ଏଜେଣ୍ଟମାନେ ତା’ର ୬ରୁ ୮ ପ୍ରତିଶତ କମିସନ ପାଆନ୍ତି। ତା’ ସହ ଦରମା ମିଳେ ଓ ଅପରେଟରମାନଙ୍କୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ମିଳେ। ସହଜରେ ଟଙ୍କା ରୋଜଗାର କରିବାର ଏକ ବାଟ ଭାବେ ଲୋକଙ୍କୁ ବୁଝାଇ ଏହି ଆପ୍ ସହ ଜଡ଼ିତ କରାଯାଏ। ଗରିବ ଲୋକଙ୍କ ଫଟୋ ଓ ଆଧାରକାର୍ଡ ନେଇ ସେମାନଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଉଥିଲା। ଏଥିପାଇଁ ସମ୍ପୃକ୍ତ ଲୋକଙ୍କୁ ୫୦୦୦ ଟଙ୍କା ଦିଆଯାଉଥିଲା। ବର୍ତ୍ତମାନ ସୁଦ୍ଧା ୫୦ରୁ ଅଧିକ କର୍ପୋରେଟ ମହାଦେବ ବ୍ୟାଙ୍କ ଆକାଉଣ୍ଟ ଓ ୧୦,୦୦୦ରୁ ଅଧିକ ଲୋକଙ୍କ ଆକାଉଣ୍ଟ ଉପରେ ଯାଞ୍ଚ କରାଯାଉଛି ବୋଲି ରାୟପୁର ଏସ୍‌ପି ପ୍ରଶାନ୍ତ ଅଗ୍ରୱାଲ କହିଛନ୍ତି। ଏ ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଦିଆଯାଇଛି।

ସମ୍ବନ୍ଧିତ ଖବର