ରାୟପୁର/ ମାଲକାନଗିରି : ଛତିଶଗଡ଼ର ଦନ୍ତେୱାଡାରେ ମାଓବାଦୀମାନେ ଏକ ବଡ଼ ଧରଣର ଆକ୍ରମଣ କରିଥିବା ଜଣାପଡ଼ିଛି। ଏହି ଆକ୍ରମଣରେ ୧୦ଜଣ ଯବାନଙ୍କ ସହ ଜଣେ ପୁଲିସ ଡ୍ରାଇଭର ସହିଦ ହୋଇଛନ୍ତି। ଦନ୍ତେୱାଡାର ଅରନପୁରରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଫୋର୍ସକୁ ନେଇ ଯାଉଥିବା ଏକ ଗାଡିକୁ ଲକ୍ଷ୍ୟ କରି ମାଓବାଦୀମାନେ ଆଇଡି ବିସ୍ପୋରଣ କରିଥିଲେ। ଏହି ଅତର୍କିତ ଆକ୍ରମଣ ପାଇଁ ସୁରକ୍ଷା କର୍ମୀମାନେ ପ୍ରସ୍ତୁତ ନଥିବାରୁ ଗାଡ଼ିରେ ଥିବା  ୧୦ଜଣ ଡିଆରଜି ଯବାନ ଏବଂ ଜଣେ ଡ୍ରାଇଭର ସହିଦ ହୋଇଛନ୍ତି। ଛତିଶଗଡ଼ ପୁଲିସ କହିଛି ଯେ, ଉକ୍ତ ଅଞ୍ଚଳରେ ମ‌ାଓବାଦୀଙ୍କ ଉପସ୍ଥିତି ନେଇ  ଗୁଇନ୍ଦା ସୂଚନା ମିଳିବା ପରେ ଆରମ୍ଭ ହୋଇଥିବା ମାଓ ବିରୋଧୀ ଅପରେସନ ଶେଷ କରି ଡିଆରଜି ଫୋର୍ସର ଯବାନମ‌ାନେ ଫେରୁଥିବା ବେଳେ ଏହି ଘଟଣା ଘଟିଛି।

Advertisment

ସହିଦ ହୋଇଥିବା ଯବାନମାନେ ହେଲେ ଯୋଗା ସୋଡି, ମୁନ୍ନା ରାମ କଡତି, ସନ୍ତୋଷ ତାମୋ, ଦୁଲଗୋ ମଣ୍ଡାବି, ଲଖମୁ ମରକମ, ଯୋଗା କବାସି, ହରିରାମ ମଣ୍ଡାବି, ରାଜୁ ରାମ କରଟମ, ଜୟରାମ ପୋଡିୟାମ, ଜଗଦୀଶ କବାସି ଏବଂ ଗାଡିର ଡ୍ରାଇଭର ଧନିରାମ ଯାଦବ।

ଏହି ଆକ୍ରମଣକୁ ନେଇ ଶୋକ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କହିଛନ୍ତି ଯେ, ଦନ୍ତେୱାଡାର ଅରନପୁର ପୁଲିସ ଷ୍ଟେସନ ଅଞ୍ଚଳରେ ମାଓବାଦୀ କ୍ୟାଡରଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇ ମାଓ ବିରୋଧୀ ଅପରେସନ ପାଇଁ ଆସିଥିବା ଡିଆରଜି ଫୋର୍ସକୁ ଟାର୍ଗେଟ କରି ଆଇଡି ବିସ୍ଫୋରଣ କରାଯିବାରୁ ଆମର ୧୦ଜଣ ଡିଆରଜି ଯବାନ ଏବଂ ଜ‌ଣେ ଡ୍ରାଇଭର ସହିଦ ହୋଇଛନ୍ତି। ସେମାନଙ୍କ ଆତ୍ମାକୁ ଶାନ୍ତି ମିଳୁ। ମାଓବାଦୀମାନେ ଏଭଳି ଆକ୍ରମଣ କରି ବଞ୍ଚିଯାଇ ପାରିବେ ନାହିଁ। ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ। ମାଓବାଦୀମାନଙ୍କ ବିରୋଧରେ ଆମର ସଂଗ୍ରାମ ଶେଷ ପର୍ଯ୍ୟାୟରେ ଅଛି। ଯୋଜନାବଦ୍ଧ ଢ଼ଙ୍ଗରେ ମାଓବାଦୀମାନଙ୍କ ମୂଳପୋଛ କରାଯିବ।

publive-image ndtv

କୁହାଯାଉଛି ଯେ, ଏହି ଆକ୍ରମଣ ପରେ ଏବେ ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଘଟଣା ବିଷୟରେ ସୂଚନା ମିଳିବା ପରେ ୨ଟି ଆମ୍ବୁଲାନ୍ସ ସେଠାରେ ପହଞ୍ଚିଛି। ଏହା ସହ ମାଓବାଦୀଙ୍କ ସହ ମୁକାବିଲା କରିବା ପାଇଁ ଡିଆରଜି ଫୋର୍ସର ଅଧିକ ଯବାନ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି।

ତେବେ ଏହି ଘଟଣାକୁ ନେଇ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ପ୍ରତ୍ୟେକ ଆକ୍ରମଣ ପରେ ବାଘେଲ ସମାନ କଥା କହନ୍ତି କିନ୍ତୁ ମାଓ ଦମନ ଲାଗି କୌଣସି କଡ଼ା ପଦକ୍ଷେପ ନିଆଯାଉ ନାହିଁ। ଯେପର୍ଯ୍ୟନ୍ତ ପଡ଼ୋଶୀ ରାଜ୍ୟ ସହ ସମନ୍ୱୟ ରକ୍ଷା କରି ମାଓବାଦୀଙ୍କ ବିରୋଧରେ ଅପରେସନ ନହୁଏ, ସେପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହେବ ନାହିଁ।

ଅନ୍ୟପକ୍ଷରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘଟଣା ସମ୍ପର୍କରେ ଖବର ପାଇ ମୁଖ୍ୟମନ୍ତ୍ରୀ ବାଘେଲଙ୍କ ସହ କଥା ହୋଇଥିବା ବେଳେ ଛତିଶଗଡକୁ ସମସ୍ତ ସମ୍ଭାବ୍ୟ ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।