ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଏବଂ ମିଜୋରାମରେ ହୋଇଥିବା ବିଧାନସଭା ନିର୍ବାଚନ ଲାଗି ଶେଷ ପର୍ଯ୍ୟାୟ ମତଦାନ ଆଜି ଶେଷ ହୋଇଥିବା ବେଳେ ଫଳାଫଳ ଡିସେମ୍ବର ୩ରେ ପ୍ରକାଶ ପାଇବ। ତେବେ ଆଜି ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଓ ମାର୍କେଟ୍ ରିସର୍ଚ୍ଚ ଏଜେନ୍ସି ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ୍ ବା ବୁଥ ବାହୁଡ଼ା ମତ ପ୍ରକାଶ ପାଇଛି। କେଉଁ ରାଜ୍ୟରେ କେଉଁ ଦଳ କ୍ଷମତାକୁ ଆସିବ, ପୂର୍ବରୁ କ୍ଷମତାରେ ଥିବା ଦଳ ପୁଣି ରାଜ୍ୟ ସମ୍ଭାଳିବେ ନା ନୂଆ ଦଳ ରାଜ୍ୟର ଦାୟିତ୍ବ ହାତକୁ ନେବେ ତାହାର ଏକ ସମ୍ଭାବ୍ୟ ଦୃଶ୍ୟପଟ୍ଟ ସାମ୍ନାକୁ ଆସିଛି। ଯଦିଓ ଅନେକ ସମୟରେ ବୁଥ୍ ବାହୁଡା ମତ ଅନୁସାରେ ପ୍ରକୃତ ଫଳାଫଳ ମେଳ ଖାଏ ନାହିଁ, କିନ୍ତୁ ଏହାକୁ ଚୂଡ଼ାନ୍ତ ଫଳାଫଳର ଏକ ସାଙ୍କେତିକ ଚିତ୍ର ବୋଲି ବିବେଚନା କରାଯାଏ।
ଆମ ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ଏକଜିଟ୍ ପୋଲ୍ ଫଳାଫଳ ସାମ୍ନାକୁ ଆସିଛି। ୯୦ ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭାରେ ମ୍ୟାଜିକ ନମ୍ବର ରହିଛି ୪୬। ଅର୍ଥାତ ୪୬ଟି ଆସନ ଜିତିଥିବା ଦଳ ସରକାର ଗଢ଼ିବା ଲାଗି ଯୋଗ୍ୟ ହେବ। ଛତିଶଗଡ଼ରେ ପୁଣିଥରେ କଂଗ୍ରେସ କ୍ଷମତାକୁ ଆସିବ ନା ନାହିଁ, ତାହା ଉପରେ ସମସ୍ତର ନଜର ଅଟକିଥିବା ବେଳେ ଏକଜିଟ୍ ପୋଲ୍ କ’ଣ କହୁଛି ଆସନ୍ତୁ ଜାଣିବା।
ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇଁ ଇଣ୍ଡିଆ’ ଦ୍ବାରା କରାଯାଇଥିବା ଏକଜିଟ୍ ପୋଲରୁ ଜଣାପଡିଛି ଯେ, ଛତିଶଗଡ଼ରେ ହୋଇଥିବା ନିର୍ବାଚନରେ କଂଗ୍ରେସ ୪୦-୫୦ଟି ଆସନ ଜିତିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ବିଜେପି ୩୬-୪୬ଟି ଆସନ ଜିତିବା ସହ ବହୁଜନ ସମାଜ ପାର୍ଟି (ବିଏସପି) ଏବଂ ଗୋଣ୍ଡୱାନା ଗଣତନ୍ତ୍ର ପାର୍ଟି (ଜିଜିପି) ସମେତ ଅନ୍ୟ ଦଳ ପ୍ରାୟ ଗୋଟାଏରୁ ପାଞ୍ଚଟି ଆସନ ଜିତିପାରନ୍ତି ବୋଲି ଏକଜିଟ୍ ପୋଲରୁ ଜଣାପଡ଼ିଛି।
ସେହିଭଳି ‘ଏବିପି ନିଉଜ୍-ସି ଭୋଟର’ ଦ୍ବାରା କରାଯାଇଥିବା ଏକଜିଟ୍ ପୋଲ ଅନୁଯାୟୀ, ଛତିଶଗଡ଼ରେ ବିଜେପି ୩୬-୪୮ଟି ଆସନ ସହ କଂଗ୍ରେସ ୪୧-୫୩ଟି ଆସନ ଜିତିବାର ସମ୍ଭାବନା ରହିଛି। ଏହା ସହ ‘ଇଣ୍ଡିଆ ଟିଭି-ସିଏନଏକ୍ସ’ ଏକଜିଟ୍ ପୋଲ୍ ଅନୁସାରେ ବିଜେପି ୩୦-୪୦ ଆସନ ପାଇବାକୁ ଥିବା ବେଳେ କଂଗ୍ରେସ ୪୬-୫୬ ଆସନରେ ଜିତିବା ସମ୍ଭାବନା ରହିଛି। ‘ଜନ୍ କି ବାତ୍’ ଦ୍ବାରା କରାଯାଇଥିବା ଏକଜିଟ୍ ପୋଲରେ ମଧ୍ୟ କଂଗ୍ରେସ ଆଗରେ ରହିଛି। ବିଜେପି ୩୪-୪୫ ମଧ୍ୟରେ ଆସନରେ ଜିତିବା ସମ୍ଭାବନା ଥିବା ବେଳେ କଂଗ୍ରେସ ୪୨-୫୩ ଆସନରେ ଜିତିପାରେ। ଏଭଳି ସ୍ଥିତିରେ ପୁଣି ଥରେ କଂଗ୍ରେସ ଛତିଶଗଡ଼ରେ ସରକାର ଗଢ଼ିବ ବୋଲି ଏକଜିଟ୍ ପୋଲରୁ ଜଣାପଡ଼ିଛି।