ରାୟପୁର: ଛତିଶଗଡ଼ ସରକାରଙ୍କ ଏକ ବିଜ୍ଞାପନକୁ ରଦ୍ଦ କରି ହାଇକୋର୍ଟ ଗୁରୁବାର କହିଛନ୍ତି ଯେ ମହିଳାଙ୍କ ପାଇଁ ଶତପ୍ରତିଶତ ସଂରକ୍ଷଣ ଅସାମ୍ବିଧାନିକ। ଛତିଶଗଡ଼ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଅରୂପ କୁମାର ଗୋସ୍ବାମୀ ଓ ଜଷ୍ଟିସ୍ ନରେନ୍ଦ୍ର କୁମାର ବ୍ୟାସଙ୍କ ବେଞ୍ଚ ରାଜ୍ୟ ସରକାରଙ୍କ ନୂଆ ନିୟମକୁ ରଦ୍ଦ କରିଦେଇଛନ୍ତି। ନୂଆ ନିୟମରେ ସରକାରୀ ନର୍ସିଂ କଲେଜଗୁଡ଼ିକରେ ଡିମୋନ୍‌ଷ୍ଟ୍ରେଟର, ପ୍ରଫେସର ଓ ପ୍ରିନ୍ସିପାଲ ପଦବିରେ କେବଳ ମହିଳାମାନେ ସିଧାସଳଖ ନିଯୁକ୍ତି ପାଇପାରିବେ ବୋଲି ବ୍ୟବସ୍ଥା ଥିଲା। ଗତ ୨୦୨୧ ଡିସେମ୍ବର ୮ରେ ଛତିଶଗଡ଼ ଲୋକସେବା ଆୟୋଗ ଏକ ବିଜ୍ଞାପନ ପ୍ରକାଶ କରିଥିଲେ, ଯେଉଁଥିରେ ଉପରୋକ୍ତ ପଦବିରେ ନିଯୁକ୍ତି ପାଇଁ କେବଳ ମହିଳାଙ୍କଠାରୁ ଦରଖାସ୍ତ ଆହ୍ବାନ କରାଯାଇଥିଲା। ଏହା ବିରୋଧରେ ଅଭୟ କୁମାର କିସପୋଟ୍ଟା, ଡ ଅଜୟ ତ୍ରିପାଠୀ, ଅଲ୍ୟୁସ ଜାଲ୍‌କ୍ସୋ ଓ ଅନ୍ୟମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।