ସ୍ବଚ୍ଛ ସର୍ବେକ୍ଷଣ ୨୦୨୧ ଲଗାତାର ପଞ୍ଚମ ବର୍ଷ ପାଇଁ ଇନ୍ଦୋରକୁ ସ୍ବଚ୍ଛତମ ସହର ପୁରସ୍କାର

ଛତିଶଗଡ଼ ଦେଶର ସ୍ବଚ୍ଛତମ ରାଜ୍ୟ

ନୂଆଦିଲ୍ଲୀ: ‘ସ୍ବଚ୍ଛ ସର୍ବେକ୍ଷଣ ୨୦୨୧’ ଅନୁଯାୟୀ ଭାରତର ସ୍ବଚ୍ଛତମ ସହର ଭାବେ ଇନ୍ଦୋର କ୍ରମାଗତ ପଞ୍ଚମ ବର୍ଷ ପାଇଁ ପୁରସ୍କୃତ ହୋଇଛି। ଚଳିତବର୍ଷର ସ୍ବଚ୍ଛତା ତାଲିକାରେ ଇନ୍ଦୋର ତଳକୁ ରହିଛି ସୁରଟ ଓ ବିଜୟୱାଡ଼ା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ନୂଆଦିଲ୍ଲୀର ବିଜ୍ଞାନଭବନଠାରେ ସ୍ବଚ୍ଛ ସର୍ବେକ୍ଷଣ ପୁରସ୍କାର ପ୍ରଦାନ କରିଥିଲେ। ସ୍ବଚ୍ଛ ନଗରୀଗୁଡ଼ିକୁ ଅଭିନନ୍ଦନ ଜଣାଇବା ପାଇଁ କେନ୍ଦ୍ର ଗୃହନିର୍ମାଣ ଓ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ‘ସ୍ବଚ୍ଛ ଅମୃତ ମହୋତ୍ସବ’ର ଆୟୋଜନ କରାଯାଇଥିଲା। କେନ୍ଦ୍ର ଗୃହନିର୍ମାଣ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏହି ଅବସରରେ ଟ୍ବିଟରରେ ଲେଖିଛନ୍ତି, କ୍ରମାଗତ ପଞ୍ଚମ ବର୍ଷ ପାଇଁ ଇନ୍ଦୋର ସ୍ବଚ୍ଛତମ ସହର ଭାବେ ବିବେଚିତ ହୋଇଛି। ଏହି ଅବସରରେ ସ୍ବଚ୍ଛତାରେ ନଗରୀକୁ ଶୀର୍ଷରେ ରଖିବା ପାଇଁ ଯୋଗଦାନ ଦେଇଥିବା ଜନସାଧାରଣ, ରାଜନୈତିକ ନେତୃତ୍ବ, ପୌର ନିଗମ, ଓ ସଫେଇମିତ୍ରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏହି ବାର୍ଷିକ ସ୍ବଚ୍ଛତା ସର୍ଭେରେ ଛତିଶଗଡ଼ ବି ହେଉଛି ଏକ ବଡ଼ ବିଜେତା କାରଣ ଏହା ଦେଶର ସ୍ବଚ୍ଛତମ ରାଜ୍ୟ ଭାବେ ବିବେଚିତ ହୋଇଛି। ରାଜ୍ୟ ତରଫରୁ ମୁଖ୍ୟମନ୍ତ୍ରୀ ଭୂପେଶ ସିଂହ ବାଘେଲ ପୁରସ୍କାର ଗ୍ରହଣ କରିଥିଲେ। ସେ ଉକ୍ତ ପୁରସ୍କାର ପରିମଳ ବ୍ୟବସ୍ଥା ସହ ଜଡ଼ିତ କର୍ମଚାରୀ, ପ୍ରଶାସନ ଓ ଛତିଶଗଡ଼ ଜନସାଧାରଣଙ୍କ ଉଦ୍ଦେ‌ଶ୍ୟରେ ଉତ୍ସର୍ଗ କରିଥିଲେ। ସ୍ବଚ୍ଛ ସର୍ବେକ୍ଷଣ ୨୦୨୧ରେ ସ୍ବଚ୍ଛତା ତାଲିକାରେ ଶ୍ରେଷ୍ଠ ୧୦ଟି ସ୍ଥାନ ହାସଲ କରିଥିବା ସହରଗୁଡ଼ିକ କ୍ରମାନ୍ବୟରେ ହେଉଛି: ଇନ୍ଦୋର, ସୁରଟ, ବିଜୟୱାଡ଼ା, ନାଭି ମୁମ୍ବାଇ, ପୁନେ, ରାୟପୁର, ଭୋପାଳ, ବଡ଼ୋଦରା, ବିଶାଖାପାଟଣା ଓ ଅହମଦାବାଦ। ଏହି ସର୍ଭେରେ ୪,୩୨୦ଟି ନଗରୀର ସ୍ବଚ୍ଛତା ଉପରେ ସମୀକ୍ଷା କରାଯାଇଥିଲା। ସ୍ବଚ୍ଛ ସବେକ୍ଷଣ ପାଇଁ ୪.୨ କୋଟିରୁ ଅଧିକ ଲୋକଙ୍କ ମତାମତ ନିଆଯାଇଥିଲା। ୩ରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହରମାନଙ୍କ ମଧ୍ୟରେ ନୋଇଡ଼ା ସ୍ବଚ୍ଛତମ ସହର ମାନ୍ୟତା ପାଇଛି।

ସମ୍ବନ୍ଧିତ ଖବର