ରାୟପୁର: ଛତିଶଗଡ଼ର ଦନ୍ତେୱାଡାରେ ଏପ୍ରିଲ ୨୬ରେ ହୋଇଥିବା ମାଓବାଦୀ ଆକ୍ରମଣର ମାଷ୍ଟମାଇଣ୍ଡର ଚେହେରା ସାମ୍ନାକୁ ଆସିଛି। ମାଓ ନେତା ତଥା ମାଷ୍ଟରମାଇଣ୍ଡ ଜଗଦୀଶ ସୋଢ଼ିର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ସେ ୱାଣ୍ଟେଡ ଥିବା ବେଳେ ତା’ ଉପରେ ପାଞ୍ଚ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି। ଅରନପୁରରେ ବିସ୍ଫୋରଣ ମାମଲାରେ ଜଗଦୀଶ ସୋଢ଼ି ସମେତ ୧୨ଜଣ ମାଓବାଦୀଙ୍କ ବିରୋଧରେ ପୁଲିସ ଏଫଆଇଆର ପଞ୍ଜିକରଣ କରିଛି। ଏହି ସମସ୍ତ ମାଓବାଦୀମାନେ ଦର୍ବା ଡିଭିଜନ୍ କମିଟିର ବୋଲି ଜଣାପଡ଼ିଛି।
ଜଗଦୀଶ ପୂର୍ବରୁ କଟେକଲ୍ୟାଣ କମିଟିର ସଚିବ ଥିଲେ। ବସ୍ତରରେ ବଡ଼ ବଡ଼ ମାଓ ଆକ୍ରମଣର ଯୋଜନା କରିବା ପରେ ତାକୁ ଦର୍ବା ଡିଭିଜନରେ ଅନ୍ତର୍ଭୁକ୍ତ କରାଯାଇଛି। ଜଗଦୀଶ ଛତିଶଗଡର ସୁକମା ଜିଲ୍ଲାରେ ଥିବା ପୁଆର୍ତି ଗାଁର ବାସିନ୍ଦା। ସେ ଅନେକ ବଡ଼ ବଡ଼ ଆକ୍ରମଣ ଘଟଣାରେ ଜଡିତ ଥିଲା। ବର୍ତ୍ତମାନ ପୁଲିସ ତାକୁ ଖୋଜୁଥବା ସହ ତା’ ବିଷୟରେ ସୂଚନା ଦେବା ବ୍ୟକ୍ତିଙ୍କୁ ୫ଲକ୍ଷ ଦେବାକୁ ଘୋଷଣା କରିଛି।
ଉଲ୍ଲେଖଯୋଗ୍ୟ, ତିନି ଦିନ ପୂର୍ବେ ଛତିଶଗଡ଼ର ଦନ୍ତେୱାଡାରେ ମାଓବାଦୀମାନେ ଏକ ବଡ଼ ଧରଣର ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୧୦ଜଣ ଯବାନଙ୍କ ସହ ଜଣେ ପୁଲିସ ଡ୍ରାଇଭର ସହିଦ ହୋଇଥିଲେ। ଦନ୍ତେୱାଡାର ଅରନପୁରରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଫୋର୍ସକୁ ନେଇ ଯାଉଥିବା ଏକ ଗାଡିକୁ ଲକ୍ଷ୍ୟ କରି ମାଓବାଦୀମାନେ ଆଇଡି ବିସ୍ପୋରଣ କରିଥିଲେ। ଏହି ଅତର୍କିତ ଆକ୍ରମଣ ପାଇଁ ସୁରକ୍ଷା କର୍ମୀମାନେ ପ୍ରସ୍ତୁତ ନଥିବାରୁ ଗାଡ଼ିରେ ଥିବା ୧୦ଜଣ ଡିଆରଜି ଯବାନ ଏବଂ ଜଣେ ଡ୍ରାଇଭର ସହିଦ ହୋଇଥିଲେ।