ଦାନ୍ତେୱାଡ଼ା: କିଛିଦିନର ନିରବତା ପରେ ପୁଣି ଛତିଶଗଡ଼ରେ ମାଓବାଦୀମାନେ ସେମାନଙ୍କ ବର୍ବରତା ଦେଖାଇଛନ୍ତି। ଆରନପୁର ବିସ୍ଫୋରଣରେ ୧୦ ଜଣ ଯବାନ ସହିଦ ହୋଇଥିବା ବେଳେ କିଛି କରୁଣ ଦୃଶ୍ୟର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। କେଉଁଠି ବାପାକୁ ହରାଇ ପିଲା ଗୁମୁରି ଗୁମୁରି କାନ୍ଦୁଛି ତ କେଉଁଠି ସ୍ବାମୀଙ୍କୁ ହରାଇ ସ୍ତ୍ରୀ। ଭାଇରାଲ୍ ହେଉଥିବା ଏକ ଭିଡିଓକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଯିବ। ଭିଡିଓରେ ଦେଖିବାକୁ ମିଳିିଛି ଜଣେ ଯବାନ ସହିଦ ହୋଇଥିବା ବେଳେ ତାଙ୍କ ଚିତାରେ ଲୋଟିପଡ଼ିଛନ୍ତି ତାଙ୍କ ପତ୍ନୀ। ଯବାନଙ୍କ ସତ୍କାର କରାଯାଉଥିବା ବେଳେ ଜିଦ୍ କରି ସ୍ବାମୀଙ୍କ ଚିତା ଉପରେ ଶୋଇ ରହିଥିଲେ ତାଙ୍କ ପତ୍ନୀ।
କସୋଲି ଗାଁରେ ଯେତେବେଳେ ସହିଦ ସ୍ବାମୀ ଲଖମୁ ମରକାମଙ୍କ ପାଇଁ ଚିତା ସଜାଗଲା ତ ତାଙ୍କ ପତ୍ନୀ ଆଗ ଯାଇ ସେ ଚିତାରେ ଶୋଇଗଲେ। ସେ କାନ୍ଦି କାନ୍ଦି କହିବାକୁ ଲାଗିଲେ, ‘ତାଙ୍କ ଆଗରୁ ମୋତେ ଜଳାଇ ଦିଅ’। ଏପରି ଦୃଶ୍ୟ ଦେଖିବା ପରେ ସେଠାରେ ଥିବା ଅନେକଙ୍କ ଆଖିରେ ଲୁହ ଆସି ଯାଇଥିଲା।
ତେବେ ଏଥର ମଧ୍ୟ ଆରନପୁର ବିସ୍ଫୋରଣ ପଛରେ କୁଖ୍ୟାତ ମାଓନେତା ହିଡମା ଓରଫ ସନ୍ତୋଷର ହାତ ଥିବା ସ୍ପଷ୍ଟ ହୋଇଛି। ମାଓନେତା ହିଡମା ଏହି ବିସ୍ଫୋରଣର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ବେଳେ ମଲାଙ୍ଗିର ଏରିଆ କମିଟିର ମାଓ ନେତ୍ରୀ ଏହି ବିସ୍ଫୋରଣ ଘଟଣା ଘଟାଇଥିବା ଜଣାପଡିଛି।
ଗତକାଲି ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲା ଆରନପୁର ଥାନାଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ମାଓବାଦୀମାନେ ଶକ୍ତିଶାଳୀ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟାଇଥିଲେ। ଏହି ନାରକୀୟ କାଣ୍ଡ ପଛରେ ହିଡମାର ହାତ ଥିବା ଏବେ ସ୍ପଷ୍ଟ ହବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/d16c9cc9-0f82-4592-a57b-bebe82eafec1.jpg)