ରାୟପୁର: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ତାଙ୍କ ପଦରୁ ହଟାଇ ଦେବାପାଇଁ କଂଗ୍ରେସ ନେତୃତ୍ବ ବଡ଼ ଯୋଜନା କରିଥିବା ଚର୍ଚ୍ଚା ହେଉଛି। ବାଘେଲ ଏବଂ ଟିଏସ୍ ସିଂହଦେଓଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି ଏବଂ ବାଘେଲଙ୍କ ସମର୍ଥନରେ ଏବେ ୩୧ ବିଧାୟକ ଦିଲ୍ଲୀରେ ଡେରା ପକାଇଛନ୍ତି । ଭୂପେଶ ବାଘେଲ ନେତୃତ୍ବ ପରିବର୍ତ୍ତନ ଖବରକୁ ଖଣ୍ଡନ କରୁଥିଲେ ମଧ୍ୟ କଂଗ୍ରେସର ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଂଝା ତୀବ୍ର ହୋଇଥିବାରୁ ଅଡ଼ୁଆ ବଢ଼ିଯାଇଛି। ଇତିମଧ୍ୟରେ ଛତିଶଗଡ଼ କଂଗ୍ରେସରେ ବଡ଼ ସାଂଗଠନିକ ପରିବର୍ତ୍ତନ ହୋଇଛି । ୪ ଜଣ ଉପସଭାପତି ଏବଂ ୩ ଜଣ ସଂପାଦକଙ୍କୁ ବଦଳାଇ ଦିଆଯାଇଛି। ପିଆର୍ ଖୁଣ୍ଟେ, ଅମ୍ବିକା ମର୍କାମ, ଅରୁଣା ସିଂଘାଣିଆ ଏବଂ ବାଣୀ ରାଓଙ୍କୁ ଉପସଭାପତି କରାଯାଇଛି। ଏହା ବ୍ୟତୀତ ଅମରଜିତ ଚାୱଲା, ବାସୁଦେବ ଏବଂ ସୁମିତ୍ରା ଘୃତଲହେରଙ୍କୁ ସଂପାଦକ ନିଯୁକ୍ତି ଦିଆଯାଇଛି ।
ଯେ କୌଣସି ମୁହୂର୍ତ୍ତରେ ବାଘେଲଙ୍କୁ ହଟାଯିବା ସମ୍ଭାବନା ଥିବାରୁ ତାଙ୍କର ସମର୍ଥକ ବିଧାୟକମାନେ ଏବେ ହାଇକମାଣ୍ଡ୍ଙ୍କୁ ଭେଟିବାକୁ ଦାବି କରି ଦିଲ୍ଲୀରେ ଅଛନ୍ତି। ତେବେ ଏହି ବିଧାୟକମାନଙ୍କୁ ଭେଟିବାପାଇଁ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି କୌଣସି ଆଗ୍ରହ ଦେଖାଉନଥିବାରୁ ବାଘେଲଙ୍କ ଭବିଷ୍ୟତ ନେଇ ସସ୍ପେନ୍ସ ଜାରି ରହିଛି ।
ଛତିଶଗଡ଼ରେ ପଂଜାବ ଭଳି ସ୍ଥିତି ହେବାକୁ ଦିଆଯିବ ନାହିଁ ବୋଲି ବାଘେଲ ବାରମ୍ବାର କହୁଥିଲେ ମଧ୍ୟ ଟିଏସ୍ ସିଂହଦେଓଙ୍କୁ ମୁଖ୍ୟମନ୍ତ୍ରୀ ହେବାରୁ ରୋକିବା ପାଇଁ ବାଘେଲ ନିଜ ସମର୍ଥକ ବିଧାୟକମାନଙ୍କ ମାଧ୍ୟମରେ କେନ୍ଦ୍ରୀୟ ନେତୃତ୍ବ ଉପରେ ଚାପ ସୃଷ୍ଟି କରୁଥିବା ସ୍ପଷ୍ଟ ହୋଇଯାଇଛି। ବାଘେଲ କହିଛନ୍ତି ବିଧାୟକମାନଙ୍କୁ ମୁଁ ଦିଲ୍ଲୀ ପଠାଇନାହିଁ, ରାଜ୍ୟ ଶାସନରେ ସ୍ଥିରତା ରକ୍ଷା ପାଇଁ ବିଧାୟକମାନେ ନିଜ ବିବେକ ମୁତାବକ କାର୍ଯ୍ୟ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୮ ବିଧାନସଭା ନିର୍ବାଚନ ପରେ ହୋଇଥିବା ଚୁକ୍ତି ମୁତାବକ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏବଂ କ୍ୟାବିନେଟ୍ ମନ୍ତ୍ରୀ ଟିଏସ୍ ସିଂହଦେଓ ଅଢ଼େଇ ବର୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀ ରହିବେ। ଇତି ମଧ୍ୟରେ ବାଘେଲ ମୁଖ୍ୟମନ୍ତ୍ରୀ ଭାବେ ଅଢ଼େଇ ବର୍ଷ ରହି ସାରିଛନ୍ତି। ଏବେ ଟିଏସ୍ ସିଂହଦେଓ ମୁଖ୍ୟମନ୍ତ୍ରୀ ହେବାପାଇଁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/654h654f654fs65hfhfhfhfhfh.jpg)