ମାଆ ଭାଲୁର ଅନୁପସ୍ଥିତିରେ ଦୁଇ ଭାଲୁ ଛୁଆଙ୍କ ଯତ୍ନ ନେଇ ଚର୍ଚ୍ଚା ପାଲଟିଲେ ଛତିଶଗଡ଼ର ଗ୍ରାମବାସୀ

ରାୟପୁର: ଛତିଶଗଡ଼ର ଅମ୍ବିକାପୁର ଜିଲ୍ଲା ଗତ ଏକ ସପ୍ତାହ ମଧ୍ୟରେ ଆକର୍ଷଣର କେନ୍ଦ୍ର ପାଲଟିଛି। କିଛି ସ୍ଥାନୀୟ ଲୋକ ମାଆ ଭାଲୁର ଅନୁପସ୍ଥିତିରେ ଦୁଇ ଭାଲୁ ଛୁଆଙ୍କ ସେବା-ଯତ୍ନ ନେଉଥିବା କଥା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି । ସ୍ଥାନୀୟ ଲୋକେ ମା’ଠାରୁ ଅଲଗା ହୋଇଯାଇଥିବା ଦୁଇ ଭାଲୁ ଛୁଆଙ୍କୁ ଖାଇବାକୁ ଦେଇ ସେମାନଙ୍କ ସୁରକ୍ଷା ଚିନ୍ତା କରି ମାନବିକତା ପ୍ରଦର୍ଶନ କରିଛନ୍ତି। ଏପରିକି ଜଣେ ବୟସ୍କ ବ୍ୟକ୍ତି ଜଙ୍ଗଲ ଅଧିକାରୀମାନଙ୍କ ଅନୁମତି ନେଇ ସେମାନଙ୍କୁ ଦିନକୁ ୨ ଥର ଦୁଗ୍ଧପାନ କରାଉଛନ୍ତି।

ମାଆ ଭାଲୁଟି ପ୍ରତିଦିନ ତା’ର ଛୁଆମାନଙ୍କୁ ଛାଡ଼ି ଜଙ୍ଗଲକୁ ପଳାଏ ଓ ବିଳମ୍ବିତ ସଂଧ୍ୟାରେ ସେମାନଙ୍କ ପାଖକୁ ଫେରିଥାଏ। ଭାଲୁ ଛୁଆକୁ ଦେଖିବାକୁ ପ୍ରତିଦିନ ସେଠାରେ ଭିଡ଼ ଜମିଥାଏ। ବନ୍ୟପ୍ରାଣୀ ବିଶେଷଜ୍ଞ ତଥା ଜଙ୍ଗଲ କର୍ମଚାରୀଙ୍କ ପରାମର୍ଶକୁ ଅଣଦେଖା କରି କୌତୂହଳବଶତଃ ଲୋକ ସେଠାରେ ଭିଡ଼ ଜମାଇ ଥାଆନ୍ତି।

ଜାଣିବାକୁ ମିଳିଛି ଯେ ମାଆ ଭାଲୁ ଅମ୍ବିକାପୁରର ଖରସୁରା ଗ୍ରାମରେ ଏକ କୃଷି କ୍ଷେତ୍ର ନିକଟରେ ଦୁଇଟି ଛୁଆ ଜନ୍ମ କରିଥିଲା। ଗ୍ରାମବାସୀମାନେ ଜଙ୍ଗଲ ବିଭାଗର କର୍ମଚାରୀମାନଙ୍କୁ ଏ ନେଇ ଅବଗତ କରାଇଥିଲେ। ଗ୍ରାବମାସୀମାନଙ୍କ କହିବାନୁସାରେ ମାଆ ଭାଲୁଟି ନିଜ ପିଲାମାନଙ୍କ ସୁରକ୍ଷା ଚିନ୍ତା କରି ଜଙ୍ଗଲ ବଦଳରେ ଗାଁ ନିକଟରେ ଜନ୍ମ ଦେଇଛି।

ଯାହାବି ହେଉ, ମାଆ ଭାଲୁଟି ଯେଉଁଭଳି ଭାବେ ସୂର୍ଯ୍ୟୋଦୟ ପୂର୍ବରୁ ତା’ର ପିଲାମାନଙ୍କୁ ଛାଡ଼ି ଜଙ୍ଗଲକୁ ପଳାଉଛି ଓ ଏକ ନିର୍ଦ୍ଦିଷ୍ଟ ସମୟରେ ସେମାନଙ୍କ ପାଖକୁ ପୁଣି ଥରେ ଫେରି ଆସୁଛି ତାହା ସମସ୍ତଙ୍କୁ ଚକିତ କରାଇଛି।

ବନ୍ୟଜନ୍ତୁ ବିଶେଷଜ୍ଞ ପ୍ରଭାତ ଦୁବେ କହନ୍ତି କି ‘ଭାଲୁଟି ନିଶ୍ଚୟ ସେହି ସ୍ଥାନକୁ ନିଜ ଛୁଆମାନଙ୍କ ପାଇଁ ସୁରକ୍ଷିତ ବୋଲି ଅନୁଭବ କରିଛି। ଯଦି ଏହା ହୋଇ ନଥାନ୍ତା, ତେବେ ମାଆ ଭାଲୁ ସେମାନଙ୍କୁ ଜଙ୍ଗଲକୁ ନେଇଯାଇଥାାନ୍ତା। ବୋଧହୁଏ ଦୁଇ ସପ୍ତାହ କିମ୍ବା ତା’ପରେ ଉଭୟ ଭାଲୁ ଛୁଆ ଟିକେ ବଡ଼ ହୋଇପାରିବା ପରେ ଯାଇ ଜଙ୍ଗଲକୁ ଯାଇପାରନ୍ତି।

ସମ୍ବନ୍ଧିତ ଖବର