ମାଳଦୀପକୁ ନେଇ ଭାରତ-ଚୀନ ମୁହାଁମୁହିଁ

ନୂଆଦିଲ୍ଲୀ : ଭାରତ ମହାସାଗରରେ ଥିବା ଦ୍ୱୀପରାଷ୍ଟ୍ର ମାଲଦ୍ୱୀପରେ ପରିସ୍ଥିତି ଦିନକୁ ଦିନ ଜଟିଳ ହେଉଥିବାବେଳେ ଏହାର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନସୀଦ ଓ ଅନ୍ୟ ବିରୋଧୀ ଦଳମାନେ ଭାରତର ହସ୍ତକ୍ଷେପ ଲୋଡ଼ିଛନ୍ତି । କିନ୍ତୁ ଭାରତର ହସ୍ତକ୍ଷେପକୁ ବିରୋଧ କରିଛି ଚୀନ । ମାଳଦୀପରେ ଦେଖାଦେଇଥିବା ସଂକଟକୁ ଉକ୍ତ ଦେଶବାସୀ ନିଜେ ସମାଧାନ କରିବା ଆବଶ୍ୟକ,କୌଣସି ବାହାର ଦେଶ ଏଥିରେ ମୁଣ୍ଡପୁରାଇବା ଉଚିତ ନୁହେଁ ବୋଲି ବେଜିଂ କହିଛି ।

ଏହା ଫଳରେ ଏହି ପ୍ରସଙ୍ଗରେ ଭାରତ-ଚୀନ ମୁହାଁମୁହିଁ ହୋଇଛନ୍ତି । ମାଳଦୀପ ସୁପ୍ରିମକୋର୍ଟ ରାୟକୁ ଭାରତ, ବ୍ରିଟେନ ଓ ଆମେରିକା ସମର୍ଥନ କରୁଥିବାବେଳେ ରାଷ୍ଟ୍ରପତି ଅବଦୁଲ୍ଲା ୟାମିନଙ୍କୁ ସମର୍ଥନ କରିଛି ଚୀନ । ମୁଖ୍ୟ କଥା ହେଉଛି ଚୀନ ମାଳଦୀପ ସରକାରଙ୍କୁ ହାତ କରି ଭାରତ ମହାସାଗରୀୟ ଅଂଚଳରେ ନିଜର ପ୍ରଭାବ ବୃଦ୍ଧି ଓ ଭାରତର ପ୍ରଭାବ କମାଇବାକୁ ଉଦ୍ୟମ କରୁଛି ।

 

ଗତ ସପ୍ତାହରେ ମାଳଦୀପର ସୁପ୍ରିମକୋର୍ଟ ଜେଲରେ ଥିବା ୯ଜଣ ରାଜନୈତିକ ନେତାଙ୍କୁ ଖଲାସ କରିବାକୁ ନିର୍ଦ୍ଦେଶ ଦେବା ପରେ ଏହି ସଂକଟ ସୃଷ୍ଟି ହୋଇଥିଲା । ଏହି ୯ ଜଣଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ଗୟୁମ ଓ ଦୁଇ ଜଣ ବିଚାରପତି । ଏମାନଙ୍କ ରାଜନୈତିକ ଶତ୍ରୁତା କାରଣରୁ ରାଷ୍ଟ୍ରପତି ଅବଦୁଲ୍ଲା ୟାମିନ ଜେଲରେ ପୁରାଇଛନ୍ତି ବୋଲି କୋର୍ଟ ମତ ଦେଇଥିଲେ ।

ସମ୍ବନ୍ଧିତ ଖବର