କୁକୁଡ଼ା ଭ୍ରୂଣରୁ ମିଳିଲା ପ୍ଲାଷ୍ଟିକ, ମଣିଷ ଶରୀର ଉପରେ ପଡ଼ିପାରେ ଏଭଳି ପ୍ରଭାବ!

ନୂଆଦିଲ୍ଲୀ: ଭବିଷ୍ୟତରେ ହୁଏତ କୁକୁଡ଼ା ମାଂସ ନଖାଇବା ଭଳି ପରିସ୍ଥିତି ମୁଣ୍ଡ ଟେକିପାରେ। କାରଣ କୁକୁଡ଼ା ଭୃଣରୁ ପ୍ଲାଷ୍ଟିକ ମିଳିଛି।  ଭୃଣରେ ପ୍ଲାଷ୍ଟିକ ରହିବା  ହେତୁ କୁକୁଡା ଶରୀର ଠିକ ଭାବେ ବିକଶିତ ହୋଇପାରୁନାହିଁ। ଯଦି ଏଭଳି କୁକୁଡ଼ା ମାଂସ ମଣିଷ ଖାଇବ ତେବେ ତାର ଶରୀର ଉପରେ ବି ଏହାର ଖରାପ ପ୍ରଭାବ ପଡ଼ିବ। ଏଭଳି  ଆଶ୍ଚର୍ଯ୍ୟଜନକ ରିପୋର୍ଟ ନିକଟ‌ରେ ହୋଇଥିବା ଏକ ଅଧ୍ୟୟନରୁ ସାମ୍ନାକୁ ଆସିଛି।

ଅଧ୍ୟୟନର ରିପୋର୍ଟରୁ ଏହା ଜାଣିବାକୁ ମିଳିଛି କି, ବାସ୍ତବରେ କୁକୁଡ଼ା ଭୃଣରୁ ନାନୋପ୍ଲାଷ୍ଟିକ ମିଳିଛି। ତାହା ପୁଣି ଅଧିକାମାତ୍ରାରେ । ଯେଉଁ କାରଣରୁ କୁକୁଡ଼ା ଶରୀରର ଟିସୁ ନଷ୍ଟ ହୋଇଯାଉଛି। ଏହା ବାସ୍ତବରେ ଏକ ଚିନ୍ତାର କାରଣ ପାଲଟିଛି। ଏଭଳି ଅସୁବିଧା ଫଳରେ କେବଳ କୁକୁଡ଼ାକୁ ନୁହେଁ ବରଂ ମନୁଷ୍ୟ ଶରୀରରେ ହୃଦୟ ସମ୍ବନ୍ଧୀୟ ରୋଗ ହେବାର ବହୁ ଆଶଙ୍କା ରହିଛି। କାରଣ ମିଳିଥିବା ମାଇକ୍ରୋପ୍ଲାଷ୍ଟିକ/ ନାନୋପ୍ଲାଷ୍ଟିକ କାରଣରୁ ଶରୀର ଉପରେ ଏହା ବହୁମାତ୍ରାରେ ଖରାପ ପ୍ରଭାବ ପକ‌ାଉଛି।

କୁକୁଡ଼ା ଶରୀରରେ ସବୁଠାରୁ ଅଧିକ ପଲିଷ୍ଟିରିନ କଣିକା ମିଳିଛି। ଏହି କଣିକା ସାଧାରଣତଃ କୌଣସି ଜୀବଙ୍କ ଶରୀରରେ ମିଳି ନଥାଏ। କିନ୍ତୁ ପ୍ରଥମଥର କୁକୁଡ଼ା ଭୃଣରୁ ମିଳିଛି। ଦେଖିବାକୁ ଗଲେ ନାନୋପ୍ଲାଷ୍ଟିକ ମାଇକ୍ରୋପ୍ଲାଷ୍ଟିକ ଠାରୁ ଆହୁରି କ୍ଷୁଦ୍ର ହୋଇଥ‌ାଏ। ଏହା ଅଧିକାଂଶ ସିନ୍ଥେଟିକ କପଡ଼ା ଓ ପ୍ଲାଷ୍ଟିକ ମାଇକ୍ରୋଫାଇବର୍ସରେ ମିଳିଥାଏ।

ପଲିଷ୍ଟିରିନ ମାଇକ୍ରୋପ୍ଲାଷ୍ଟିକ ଶରୀର ଲିଭର, କିଡନି ଓ ଅନ୍ତନଳୀରେ ମିଳିଥାଏ। କୁକୁଡ଼ା ଭୃଣରୁ ପ୍ଲାଷ୍ଟିକ ମିଳିବା ଘଟଣା ପୂର୍ବରୁ ମଣିଷ ଓ ମୂଷାଙ୍କ ଶରୀରରେ ପ୍ଲାଷ୍ଟିକ ମିଳିବା ରିପୋର୍ଟ ସାମ୍ନାକୁ ଆସିଥିଲା। ପ୍ଲାଷ୍ଟିକ ପାଣି  ଓ ପବନ ଜରିଆରେ ଆମର ଖାଦ୍ୟ ଓ ପାନୀୟରେ ମିଶ୍ରଣ ହୋଇଥ‌ାଏ। ଯାହାକୁ ଖାଇବା ଓ ପିଇବା ଦ୍ବାରା ଏହା ଆମ ଶରୀର‌କୁ ଯାଇ ଫୁସଫୁସ, ରକ୍ତ ଓ ପ୍ଲେସେଣ୍ଟାରେ ଜମା ହୋଇଥାଏ।

ସମ୍ବନ୍ଧିତ ଖବର