କାହିଁକି ବଢୁଛି ଚିକେନ ଦର ?

ଭୁବନେଶ୍ବର : ଦେଶରେ କୁକଡ଼ା ମାଂସ ବା ଚିକେନ ଦର ଦ୍ରୁତ ଗତିରେ ବଢିଚାଲିଛି । ଭୁବନେଶ୍ବରରେ ଏବେ ଚିକେନ କିଲୋଗ୍ରାମ ପିଛା ୨୬୦ ଟଙ୍କାକୁ ବୃଦ୍ଧି ପାଇଛି । ମାତ୍ର ୬ ମାସ ପୂର୍ବରେ ଏହା ୨୦୦ ଟଙ୍କା ତଳେ ଥିଲା ।  ତେବେ ହଠାତ୍ କାହିଁକି ଚିକେନ ଦର ଏତେ ବଢିଗଲା ? ଏହାର କାରଣ କଣ ?

ବିଶେଷଜ୍ଞଙ୍କ ମତରେ ଦେଶରେ ଚିକେନ ଦର ବଢିବାର ଦୁଇଟି କାରଣ ରହିଛି । ଗୋଟିଏ ହେଉଛି ଏବର୍ଷ ଅନୁଭୂତ ହୋଇଥିବା ପ୍ରବଳ ଗ୍ରୀଷ୍ମପ୍ରବାହ ଓ ଅନ୍ୟଟି ହେଉଛି ୟୁକ୍ରେନ ଯୁଦ୍ଧ । ଏବର୍ଷ ପ୍ରବଳ ଗରମ ପଡ଼ିବା ଯୋଗୁଁ କେତେକ ରାଜ୍ୟରେ ପ୍ରବଳ ମାତ୍ରାରେ ବ୍ରଏଲର କୁକୁଡ଼ା ମୃତ୍ୟୁମୁଖରେ ପଡ଼ିଛନ୍ତି । ଏହା ଫଳରେ ବଜାରକୁ ଯୋଗାଣ ହ୍ରାସ ପାଇଛି । ଅନ୍ୟପକ୍ଷରେ କୁକୁଡ଼ା ଖାଦ୍ୟର ଅହେତୁକ ଦର ବୃଦ୍ଧି । ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ବିଶ୍ବ ବଜାରରେ ଗହମର ଯୋଗାଣ ହ୍ରାସ ପାଇଛି । କୁକୁଡା ଖାଦ୍ୟର ଏକ ପ୍ରମୁଖ ଉପାଦାନ ଗହମ ହୋଇଥିବାରୁ କୁକୁଡ଼ାଖାଦ୍ୟର ଅନ୍ତର୍ଜାତୀୟ ଦର ଗତ କିଛି ମାସ ମଧ୍ୟରେ ୮୦ ପ୍ରତିଶତ ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ବଜାରରେ ଦର ବଢୁଥିବାରୁ ଭାରତରେ ବି ଦର ବଢିଛି । ଏହା ଫଳରେ ଚାଷୀଙ୍କ ବ୍ୟୟ ବୃଦ୍ଧି ପାଇଛି । ଏହି କାରଣରୁ ଦର ବଢିଛି ।

ବଜାର ବିଶେଷଜ୍ଞଙ୍କ ମତରେ ନିକଟ ଭବିଷ୍ୟତରେ ଚିକେନ ଦର କମିବାର ସମ୍ଭାବନା କମ । ତେବେ ଆସନ୍ତା ଅକ୍ଟୋବର-ନଭେମ୍ବର ବେଳକୁ ସୋୟାବିନ ଫସଲ ଅମଳ ଆରମ୍ଭ ହେବା ପରେ ଦର କମିବ । କାରଣ ପଶୁ ଓ କୁକୁଡ଼ା ଖାଦ୍ୟରେ ସୋୟାବିନ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଉପାଦନ । ପୁଣି ସେତେବେଳକୁ ଯୁଦ୍ଧ ଶେଷ ହୋଇଯିବା ଆଶା କରାଯାଉଛି ।

ଦେଶରେ ଏବେ ବର୍ଷକୁ ୪.୩ରୁ ୪.୫ ନିୟୁତ ଟନ କୁକୁଡା ମାଂସ ଉତ୍ପାଦନ ହେଉଥିବାବେଳେ ୨୦୨୩ ସୁଦ୍ଧା ଏହାକୁ ୬.୩ ନିୟୁତ ଟନରେ ପହଞ୍ଚାଇବାକୁ ଲକ୍ଷ୍ୟ ରହିଛି ।

 

 

ସମ୍ବନ୍ଧିତ ଖବର