ଚିଦମ୍ବରମଙ୍କ ଗିରଫକୁ ରାଜ୍ୟ କଂଗ୍ରେସର ନିନ୍ଦା

ବିଜେପି ସରକାରର ଆକ୍ରୋଶମୂଳକ କା‌ର୍ଯ୍ୟାନୁଷ୍ଠାନ: ନିରଞ୍ଜନ

ନୂଆଦିଲ୍ଲୀ : ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦମ୍ବରମଙ୍କୁ ସିବିଆଇ ଗିରଫ କରିବା ଘଟଣାକୁ ରାଜ୍ୟ କଂଗ୍ରେସ ପକ୍ଷରୁ ଦୃଢ଼ ଭାବରେ ନିନ୍ଦା କରାଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଚିଦମ୍ବରମଙ୍କ ଗିରଫ ପ୍ରସଙ୍ଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି କେନ୍ଦ୍ରରେ ବିଜେପି ସରକାର ବିରୋଧୀ ଦଳ ନେତାମାନଙ୍କ ବିରୋଧରେ ଯେଉଁଭଳି ଆକ୍ରୋଶମୂଳକ କାର୍ଯାନୁଷ୍ଠାନ ଗ୍ରହଣ କରୁଛି ତାହା ତାଙ୍କର ଦୁର୍ବଳତା ଓ ଅସହିଷ୍ଣୁତାକୁ ଦର୍ଶାଉଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହାକୁ ପ୍ରତିରୋଧ କରିବା ପାଇଁ ସମସ୍ତ କଂଗ୍ରେସ କର୍ମୀ ଏକଜୁଟ୍ ଅଛନ୍ତି। ବିଜେପି ସରକାର କଂଗ୍ରେସକୁ ବଦନାମ କରିବା ପାଇଁ ଅପଚେଷ୍ଟା ଚଳାଇଛି। ଚିଦମ୍ବରମଙ୍କୁ ଗିରଫ କରିବାର କୌଣସି ଯଥାର୍ଥତା ନଥିଲା। ମୋଦୀ ସରକାର କ୍ଷମତାର ଦୁରୁପଯୋଗ କରୁଛନ୍ତି ବୋଲି ଏହା ସ୍ପଷ୍ଟ ରୂପେ ଜଣାପଡୁଛି। ଚିଦମ୍ବରମଙ୍କ ଗିରଫଦାରୀ ଦଳ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଇବ ନାହିଁ ବରଂ ଦଳ ଅଧିକ ଦୃଢ଼ ହେବ।

ଅପରପକ୍ଷେ ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଜନତା ପାର୍ଟି ଦ୍ବାରା ଗିରଫ କରାଯିବା ପରେ ଜନତା ପାର୍ଟିର ଅବସ୍ଥା ଯାହା ହୋଇଥିଲା ସେହି ଦଶା ଚିଦମ୍ବରମଙ୍କୁ ଗିରଫ କରିବା ପରେ ବିଜେପି ଭୋଗିବ। କ୍ଷମତାର ନିର୍ଦୟ ଅପବ୍ୟବହାରକୁ କଂଗ୍ରେସ ନିନ୍ଦା କରୁଛି ବୋଲି ସେ କହିଛନ୍ତି। ତେଲେଙ୍ଗାନା ପ୍ରଭାରୀ ତଥା କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ ମଧ୍ୟ ଚିଦମ୍ବରମଙ୍କ ଗିରଫକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଦର୍ଶାଇ ଏହାର ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର