ନୂଆଦିଲ୍ଲୀ : ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦମ୍ବରମଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି । ଆଜି ମଧ୍ୟ ତାଙ୍କୁ କୋର୍ଟରୁ କୌଣସି ଆଶ୍ୱସ୍ତି ମିଳିପରିନାହିଁ । ଆଉ ୧୪ ଦିନ ପାଇଁ ସେ ଜେଲରେ ରହିବେ । ଆଇନକ୍ସ ମିଡିଆ ମାମଲାରେ ତିହାର ଜେଲରେ ଥିବା ଚିଦମ୍ବରମଙ୍କ ନ୍ୟାୟିକ ହାଜତ ମିଆଦ ଆଜି ଶେଷ ହେଉଥିବାବେଳେ ତାହାକୁ ପୁଣି ଡିସେମ୍ବର ୧୧ ପର୍ଯ୍ୟନ୍ତ ବଢାଇଦିଆଯାଇଛି । ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ହାଜତ ମିଆଦ ବୃଦ୍ଧି କରିବାକୁ ଇଡି ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଆବେଦନ କରିଥିଲା । ଏହା ସହିତ ଇଡି ତାଙ୍କର ଜାମିନକୁ ବିରୋଧ କରିଥିଲା । ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ତିହାର ଜେଲ ଯାଇ ଚିଦମ୍ବରମଙ୍କୁ ଭେଟିଥିଲେ । ଚିଦମ୍ବରମଙ୍କ ପୁଅ କାର୍ତ୍ତି ଚିଦମ୍ବରମ ମଧ୍ୟ ତାଙ୍କୁ ଭେଟିଥିଲେ ।
ସୂଚନାଯୋଗ୍ୟ ଯେ, ଆଇଏନଏକ୍ସ ମିଡିଆ ମାମଲାରେ ଗତ ଅଗଷ୍ଟ ୨୧ ତାରିଖରେ ସିବିଆଇ ଚିଦମ୍ବରମଙ୍କୁ ଗିରଫ କରିଥିଲା । ୨୦୦୭ରେ ଚିଦମ୍ବରମ ଅର୍ଥମନ୍ତ୍ରୀ ଥିବାବେଳେ ଆଇଏନଏକ୍ସ ମିଡିଆରେ ୩୦୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ନିବେଶକୁ ବିଦେଶୀ ନିବେଶ ପ୍ରୋତ୍ସାହନ ବୋର୍ଡ ବେଆଇନ ଭାବେ ଅନୁମତି ଦେଇଥିଲା । ଲାଞ୍ଚ ନେଇ ଚିଦମ୍ବରମ ଏହି ଅନୁମତି ଦେଇଥିଲେ ବୋଲି ସିବିଆଇ କହୁଛି ।