ଜେଲ୍‌ରେ ଚିଦମ୍ବରମଙ୍କ ପ୍ରଥମ ରାତି, କଂଗ୍ରେସ ପ୍ରତିନିଧିଦଳଙ୍କୁ ଭେଟିବା ସୁଯୋଗ ମିଳିଲାନି

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପି ଚିଦମ୍ବରମ ଗତକାଲି ତିହାର ଜେଲ୍‌ରେ ତାଙ୍କର ପ୍ରଥମ ରାତି କାଟିଛନ୍ତି। ତିହାରର ଜେଲ୍‌ ନମ୍ବର ୭ ହେଉଛି ଚିଦମ୍ବରମଙ୍କ ନୁଆ ଠିକଣା। ଗତ ରାତିରେ ଚିଦମ୍ବରମ ସ୍ବାଭାବିକ ଭାବେ ରାତ୍ରି ଭୋଜନ କରିଥିଲେ ଏବଂ ଔଷଧ ଖାଇଥିଲେ। କିନ୍ତୁ ପ୍ରଥମ ରାତିରେ ଚିଦମ୍ବରମ ଜେଲ୍‌ରେ ଶୋଇପାରିନାହାନ୍ତି। ଆଜି ସକାଳ ୬ଟାରେ ଚିଦମ୍ବରମଙ୍କୁ ଜେଲ୍‌ ନିୟମ ଅନୁଯାୟୀ ଚା’ ଦିଆଯାଇଥିଲା ଏବଂ ‌ସକାଳ ଭୋଜନରେ ବ୍ରେଡ୍‌, ପୋହା ଏବଂ ଦଲିୟା ଦିଆଯାଇଥିଲା। ତେବେ ତିହାର ଜେଲ୍‌ରେ ଚିଦମ୍ବରମଙ୍କୁ ସ୍ବତନ୍ତ୍ର ସୁବିଧା ମିଳିନାହିଁ। ଚିଦମ୍ବରମଙ୍କୁ ତାଙ୍କ ପ୍ରକୋଷ୍ଠ ବାହାରେ ଚଲାବୁଲା କରିବା ସୁଯୋଗ ମିଳିଛି। ଚିଦମ୍ବରମ ଜେଲ୍‌ରେ ୱେଷ୍ଟର୍ଣ୍ଣ ଟଏଲେଟ୍‌ ଦାବି କରିଥିବା ବେଳେ ତାଙ୍କୁ ଏହି ସୁବିଧା ମିଳିଛି। ସେହିପରି ତାଙ୍କୁ ତାଙ୍କ ଚଷମା ବ୍ୟବହାର କରିବା ପାଇଁ ମଧ୍ୟ ଅନୁମତି ମିଳିଛି। ଚିଦମ୍ବରମ ଏବେ ୧୪ ଦିନ ଜେଲ୍‌ରେ ରହିବେ।

ଚିଦମ୍ବରମଙ୍କୁ ମିଳିଥିବା ଅନ୍ୟ ସୁବିଧା ଗୁଡ଼ିକ ମଧ୍ୟରେ ସେ ଗଣମାଧ୍ୟମରୁ ଖବର ଜାଣିପାରିବେ ଏବଂ ସେ ଜେଲ୍‌ର ଲାଇବ୍ରେରି ମଧ୍ୟ ବ୍ୟବହାର କରିପାରିବେ। ତାଙ୍କୁ ଗୋଟିଏ ତକିଆ ଏବଂ ଏକ ବ୍ଲାଙ୍କେଟ୍‌ ଦିଆଯାଇଛି। ଚିଦମ୍ବରମ ରିଭର୍ସ ଓସମୋସିସ୍ ପ୍ଲାଣ୍ଟ୍‌ରୁ ପାଣି ପିଇ ପାରିବେ ନଚେତ୍‌ କ୍ୟାଣ୍ଟିନ୍‌ରୁ ପାଣି ବଟଲ୍‌ ଆଣି ପାଣି ପିଇ ପାରିବେ ବୋଲି ଅଧିକାରୀମାନେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଚିଦମ୍ବରମ ଏବେ ‌ଯେଉଁ ଜେଲ୍‌ ନମ୍ବର ୭ରେ ରହୁଛନ୍ତି ସେଠାରେ ତାଙ୍କ ପୁଅ କାର୍ତ୍ତି ଚିଦମ୍ବରମ ଗତବର୍ଷ ୨୩ ଦିନ ରହିଥିଲେ। ଆଜି କଂଗ୍ରେସର ଏକ ପ୍ରତିନିଧି ଦଳ ଚିଦମ୍ବରମଙ୍କୁ ଜେଲ୍‌ରେ ଭେଟିବାକୁ ପ୍ରୟାସ କରି ବିଫଳ ହୋଇଛନ୍ତି। ଏହି ପ୍ରତିନିଧି ଦଳରେ ମୁକୁଲ ୱାସ୍‌ନିକ, ପିସି ଚାକୋ ପ୍ରମୁଖ ସାମିଲ ଥିଲେ। ସେମାନେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶକ୍ରମେ ଚିଦମ୍ବରମଙ୍କୁ ଭେଟିବାକୁ ଯାଇଥିଲେ। ତେବେ ସେମାନେ ଜେଲ୍‌ରେ ପହଞ୍ଚିବା ବେଳକୁ କଏଦୀଙ୍କୁ ଭେଟିବା ସମୟ ଅତିକ୍ରାନ୍ତ ହୋଇସାରିଥିଲା।

ସମ୍ବନ୍ଧିତ ଖବର