ଇଡି ମାମଲାରେ ଚିଦମ୍ବରମଙ୍କୁ ଆଶ୍ବସ୍ତି

ପରିବାରର ଅଭିଯୋଗ, ବଦନାମ କରିବା ସରକାରଙ୍କ ଉଦ୍ଦେଶ୍ୟ

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦମ୍ବରମଙ୍କୁ ଇଡି ବୁଧବାର ପର୍ଯ୍ୟନ୍ତ ଗିରଫ କରି ପାରିବ ନାହିଁ। ଚିଦମ୍ବରମଙ୍କ ଗିରଫ ସୁରକ୍ଷାକୁ ସୁପ୍ରିମ କୋର୍ଟ ବୁଧବାର ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ବିଚାରପତି ଆର୍‌ ଭାନୁମତୀ ଏବଂ ଏ ଏସ୍‌ ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଚିଦମ୍ବରମଙ୍କ ଦୁଇଟି ଆବେଦନର ଶୁଣାଣି ବୁଧବାର କରିବେ। ସେଥିରୁ ଗୋଟିଏ ହେଲା ଇଡିର ଗିରଫ ଅନୁମତି ଏବଂ ଅନ୍ୟଟି ହେଲା ସିବିଆଇର ରିମାଣ୍ଡ। ଗତବର୍ଷ ଡିସେମ୍ବର ୧୯, ଚଳିତ ବର୍ଷ ଜାନୁଆରି ୧ ଏବଂ ଜାନୁଆରି ୨୧ ତାରିଖରେ ଚିଦମ୍ବରମଙ୍କୁ ଇଡି ପକ୍ଷରୁ କରାଯାଇଥିବା ଜେରାର ପ୍ରଶ୍ନ-ଉତ୍ତରକୁ ପ୍ରଦାନ କରିବା ନେଇ ଆଇନଜୀବୀ କପିଲ ସିବଲ ଆବେଦନ ଦାଖଲ କରିଛନ୍ତି। ତଦନ୍ତରେ ଚିଦମ୍ବରମ ସହଯୋଗ କରୁନାହାନ୍ତି ବୋଲି ଇଡି ଯେଉଁ ଅଭିଯୋଗ କରୁଛି ତାହା ସେଥିରୁ ଜଣାପଡ଼ିବ ବୋଲି ସିବଲ୍ କହିଛନ୍ତି। ଇଡି ମନଇଚ୍ଛା ଅଦାଲତରେ ଦସ୍ତାବିଜ ଦାଖଲ କରି ଚିଦମ୍ବରମଙ୍କୁ ହେପାଜତକୁ ନେବାକୁ ଚାହୁଛି ବୋଲି ସିବଲ୍ ଯୁକ୍ତି ଦର୍ଶାଇଛନ୍ତି। ସେହିଭଳି ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘବୀ ଚିଦମ୍ବରମଙ୍କ ପକ୍ଷରୁ ଯୁକ୍ତି ବାଢ଼ିଥିଲେ ଯେ, ସମ୍ବିଧାନର ଧାରା ୨୧ ଅନୁଯାୟୀ ଚିଦମ୍ବରମଙ୍କ ମୌଳିକ ଅଧିକାରକୁ ଛଡ଼ାଇ ନିଆଯାଇ ପାରିବ ନାହିଁ। ଇଡି ପକ୍ଷରୁ ସଲିସିଟର ଜେନେରାଲ ତୁ‌ଷାର ମେହେଟ୍ଟା ମାମଲା ପରିଚାଳନା କରିଥିଲେ।

ଚେନ୍ନାଇ: ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦମ୍ବରମ୍ ଏବେ ସିବିଆଇ ରିମାଣ୍ଡରେ ଅଛନ୍ତି। ତେବେ ଏହି ସମୟରେ ଚିଦମ୍ବରମଙ୍କ ସପକ୍ଷରେ ତାଙ୍କ ପରିବାର ଗଣମାଧ୍ୟମରେ ତଥ୍ୟ ରଖିଛି। ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ସରକାରଙ୍କ ଉଦ୍ଦେଶ୍ୟ ହେଲା ଚିଦମ୍ବରମଙ୍କୁ ଖଳନାୟକ ଚିତ୍ରଣ କରି ତାଙ୍କୁ ବଦନାମ କରିବା। ବିଭିନ୍ନ ଦେଶରେ ଏବଂ ଏକାଧିକ ଜାଲ୍ କମ୍ପାନିରେ ତାଙ୍କର ବିପୁଳ ସମ୍ପତ୍ତି ରହିଛି ବୋଲି ଯେଉଁ ଅଭିଯୋଗ ହେଉଛି କେନ୍ଦ୍ର ତାହାର ପ୍ରମାଣ ‌ଦେଉ ବୋଲି ପରିବାର ପକ୍ଷରୁ କୁହାଯାଇଛି। ଗତ କିଛିଦିନ ହେଲା ଗଣମାଧ୍ୟମରେ ଚିଦମ୍ବରମଙ୍କ ନାମରେ ଭିତ୍ତିହୀନ ସମ୍ବାଦ ପ୍ରକାଶ ପାଉଛି ବୋଲି ପରିବାର ସଦସ୍ୟମାନେ ଅଭିଯୋଗ କରିଛନ୍ତି। ଜାଲ୍ କମ୍ପାନି, ବିଦେଶରେ ବ୍ୟାଙ୍କ ଆକାଉଣ୍ଟ ଏବଂ ସମ୍ପତ୍ତି ସମ୍ପର୍କରେ ଯେଉଁ ଅଭିଯୋଗ କରାଯାଉଛି ତାହାର ସାମାନ୍ୟତମ ପ୍ରମାଣ ସରକାର ଦିଅନ୍ତୁ ବୋଲି ଚିଦମ୍ବରମଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି। ୫୦ ବର୍ଷ ଧରି ଚିଦମ୍ବରମ୍ ସାଧାରଣ ଜୀବନରେ ଅଛନ୍ତି। ତାଙ୍କର ସାଧୁତା ଏବଂ କାର୍ଯ୍ୟନିଷ୍ଠାକୁ ଗୋଟିଏ ତିରସ୍କାର ଅଭିଯାନରେ ଧୋଇ ଦିଆଯାଇ ପାରିବ ନାହିଁ ବୋଲି ପରିବାର ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଚିଦମ୍ବରମଙ୍କୁ ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ଗତ ୨୧ ତାରିଖରେ ଗିରଫ କରିଛି। ଚଳିତମାସ ୩୦ ତାରିଖ ପର୍ଯ୍ୟନ୍ତ ସେ ସିବିଆଇ ରିମାଣ୍ଡରେ ଅଛନ୍ତି।

ସମ୍ବନ୍ଧିତ ଖବର