ଆଇଏନଏକ୍ସ ମିଡିଆ ମାମଲାରେ ମୁଁ ଜଣେ ଅଭିଯୁକ୍ତ ନୁହେଁ : ପି.ଚିଦାମ୍ବରମ

ନୂଆଦିଲ୍ଲୀ : ଏକ ନାଟକୀୟ ଘଟଣାକ୍ରମରେ ଗତ କାଲିଠାରୁ ନିଖୋଜ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ କିଛି ସମୟ ପୂର୍ବେ ହଠାତ କଂଗ୍ରେସ (ଏଆଇସିସି) ମୁଖ୍ୟାଳୟରେ ପହଞ୍ଚିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଲେ ଯେ ସେ କୌଣସି ବେଆଇନ କାର୍ଯ୍ୟକରିନାହାନ୍ତି । ସିବିଆଇ ଏଫଆଇର ଓ ଚାର୍ଜସିଟରେ ତାଙ୍କ ନାଁ ମଧ୍ୟ ନାହିଁ । ସେ କହିଛନ୍ତି ଯେ ହାଇକୋର୍ଟ ଗତ ୧୩-୧୫ ମାସ ଧରି ତାଙ୍କୁ ସୁରକ୍ଷା ଦେଇଥିଲେ । ଏବେ ପ୍ରାୟ ୭ ମାସ ପରେ ତାଙ୍କର ଅଗ୍ରୀମ ଜାମିନ ଆବେଦନକୁ ବାତିଲ କରିଦେଇଛନ୍ତି । ସେ କହିଛନ୍ତି ଯେ ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ସେ ମାନିବେ ଓ ଏଥିପାଇଁ ଶୁକ୍ରବାର ପର୍ଯ୍ୟନ୍ତ ଅପେକ୍ଷା କରିବେ ।

ଫେରାର ଥିବା ଅଭିଯୋଗକୁ ସେ ଖଣ୍ଡନ କରି ସେ କହିଛନ୍ତି ଯେ ସେ ଆଇନକୁ ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛନ୍ତି । ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ, ଅଭିଷେକ ମନୁସିଂଘଭୀ, ସଲମାନ ଖୁର୍ସିଦ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ସିବିଆଇର ଏକ ଦଳ କଂଗ୍ରେସ ମୁଖ୍ୟାଳୟ ଅଭିମୁଖେ ବାହାରିଛି ।

ଗତକାଲି ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ବେଳେ ବିଚାରପତି କହିଥିଲେ ଯେ ଉପଲବ୍ଧ ତଥ୍ୟପ୍ରମାଣରୁ ଜଣାଯାଉଛି ଯେ ଆଇନଏକ୍ସ ମିଡିଆ ଦୁର୍ନୀତିରେ ଚିଦାମ୍ବରମ ହିଁ ମୁଖ୍ୟ ଷଡଯନ୍ତ୍ରକାରୀ । ଏଣୁ ଏହି ମାମଲାର ଉପଯୁକ୍ତ ତଦନ୍ତ ପାଇଁ ତାଙ୍କୁ ହାଜତକୁ ନିଆଯିବାର ଆବଶ୍ୟକତା ରହିଛି । ୨୦୦୭ରେ ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିବାବେଳେ ଆଇଏନଏକ୍ସ ମିଡିଆରେ ୩୦୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ନିବେଶକୁ ବିଦେଶୀ ନିବେଶ ପ୍ରେତ୍ସାହନ ବୋର୍ଡ ବେଆଇନ ଭାବେ ଅନୁମତି ଦେଇଥିଲା ।

ସମ୍ବନ୍ଧିତ ଖବର