ପି.ଚିଦମ୍ବରମଙ୍କୁ ସାମୟିକ ଆଶ୍ବସ୍ତି: ୫ ପର୍ଯ୍ୟନ୍ତ ସିବିଆଇ ହେପାଜତରେ ରହିବେ, ତିହାର ଜେଲକୁ ଯିବାକୁ ପଡ଼ିବ ନାହିଁ

ନୂଆଦିଲ୍ଲୀ: ପୁଣି ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦମ୍ବରମଙ୍କୁ ସାମୟିକ ଆଶ୍ବସ୍ତି ମିଳିଛି । ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ତାଙ୍କ ଜାମିନ ଆବେଦନର ଶୁଣାଣି କରି ସେପ୍ଟମ୍ବେର ୫ ତାରିଖ ପର୍ଯ୍ୟନ୍ତ ସିବିଆଇ ହେପାଜତରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ତାଙ୍କୁ ଆଉ ତିହାର ଜେଲକୁ ଯିବାକୁ ପଡ଼ିବ ନାହିଁ।

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଆର୍.ଭାନୁମତୀଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଆଜି ଏହି ରାୟ ଦେଇଛନ୍ତି। ଅନ୍ୟ ପକ୍ଷରେ ସରକାରୀ ପକ୍ଷ ରଖି ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ଚିଦମ୍ବରମଙ୍କୁ ଅଧିକ ପଚରାଉଚରାର ଆବଶ୍ୟକତା ନାହିଁ , ଆଇନ ତା’ବାଟରେ ଯାଉ ବୋଲି କହିବା ପରେ ମଧ୍ୟ ଶୀର୍ଷ ଅଦାଲତ ତାଙ୍କୁ ସିବିଆଇ ହେପାଜତକୁ ପଠାଇ ଦେଇଛନ୍ତି।

ଗତକାଲି  ସୁପ୍ରିମ୍‌ କୋର୍ଟ ଚିଦମ୍ବରମଙ୍କ ହାଜତ ମିଆଦକୁ ଗୁରୁବାର ପର୍ଯ୍ୟନ୍ତ ବଢ଼ାଇଥିବାରୁ ସେ ଜେଲ୍‌ ଯିବାରୁ ସାମୟିକ ଭାବେ ବର୍ତ୍ତିଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଚିଦମ୍ବରମ ତଳ କୋର୍ଟରେ ପୁଣି ଜାମିନ ଆବେଦନ କରିଛନ୍ତି ଏବଂ ମଙ୍ଗଳବାର ଅପରାହ୍ନ ସାଢ଼େ ୩ଟାରେ ସିବିଆଇ ଅଦାଲତରେ ଏହାର ଶୁଣାଣି ହେବ। ଚିଦମ୍ବରମଙ୍କ ପକ୍ଷରୁ ଓକିଲ କପିଲ ସିବଲ ଜାମିନ ଆବେଦନ ଦାଖଲ କରିଥିଲେ। ସ୍ବତନ୍ତ୍ର ବିଚାରପତି ଅଜୟ କୁମାର କୁହାଡ଼ ଏହି ଜାମିନ ଆବେଦନର ଶୁଣାଣି କରିବେ।

ଚିଦମ୍ବରମଙ୍କ ଓକିଲ ତଥା ବରିଷ୍ଠ ଆଇନଜୀବୀ ସିବଲଙ୍କୁ ସୁପ୍ରିମ୍‌ କୋର୍ଟ କହିଥିଲେ, ଏହି ମାମଲାରେ ଚିଦମ୍ବରମଙ୍କୁ ଉପଯୁକ୍ତ ଅଦାଲତରେ ଜାମିନ ଆବେଦନ କରିବାକୁ ହେବ। ତଳ କୋର୍ଟରେ ଯଦି ତାଙ୍କର ଜାମିନ ଆବେଦନ ଖାରଜ ହୁଏ ତା’ହେଲେ ବୁଧବାର ଦିନ କୋର୍ଟ ପୁଣି ଏହି ମାମଲାରେ ଶୁଣାଣି କରିବେ ବୋଲି କହିଥିଲେ। ୭୪ ବର୍ଷୀୟ ଚିଦମ୍ବରମଙ୍କୁ ଜେଲ୍‌ ନ ପଠାଇ ଗୃହ ବନ୍ଦୀ ଭାବେ ରଖିବାକୁ ସିବଲ ଯୁକ୍ତି କରିଥିଲେ।

ସମ୍ବନ୍ଧିତ ଖବର