ପୁଣି ବଢିଲା ଚିଦମ୍ବରମଙ୍କ ହାଜତ ମିଆଦ, ଅକ୍ଟୋବର ୨୪ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ : ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦମ୍ବରମଙ୍କ ବିଚାର ବିଭାଗୀୟ ହାଜତ ମିଆଦ ଆଉ ସପ୍ତାହକ ପାଇଁ ବଢାଇଦେଇଛନ୍ତି ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ । ଆଜି ତାଙ୍କର ହାଜତ ମିଆଦ ଶେଷ ହେଉଥିଲା । ତାଙ୍କୁ ଜେରା ପାଇଁ ଦୁଇଦିନ ତଳେ ସିବିଆଇ କୋର୍ଟ ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ ବା ଇଡିକୁ ଅନୁମତି ଦେଇଥିଲେ । ଆଜି ମଧ୍ୟ ଚିଦମ୍ବରମଙ୍କୁ ଜେରା କରିବା ପାଇଁ ୧୪ ଦିନିଆ ରିମାଣ୍ଡ ମାଗିଥିଲା ଇଡି । କିନ୍ତୁ ୨୪ ତାରିଖ ପର୍ଯ୍ୟନ୍ତ ଚିଦମ୍ବରମ୍‌ ଇଡି ହାଜତରେ ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ଅକ୍ଟୋବର ୩ ତାରିଖରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କ ହାଜତ ମିଆଦକୁ ଆଜି (୧୭ ଅକ୍ଟୋବର) ପର୍ଯ୍ୟନ୍ତ ବଢାଇଦେଇଥିଲେ । ଆଇଏନଏକ୍ସ ମିଡିଆ ମାମଲାରେ ଗତ ଅଗଷ୍ଟ ୨୧ ତାରିଖରେ ସିବିଆଇ ଚିଦମ୍ବରମଙ୍କୁ ଗିରଫ କରିଥିଲା । ୨୦୦୭ରେ ଚିଦମ୍ବରମ ଅର୍ଥମନ୍ତ୍ରୀ ଥିବାବେଳେ ଆଇଏନଏକ୍ସ ମିଡିଆରେ ୩୦୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ନିବେଶକୁ ବିଦେଶୀ ନିବେଶ ପ୍ରୋତ୍ସାହନ ବୋର୍ଡ ବେଆଇନ ଭାବେ ଅନୁମତି ଦେଇଥିଲା । ଲାଞ୍ଚ ନେଇ ଚିଦମ୍ବରମ ଏହି ଅନୁମତି ଦେଇଥିଲେ ବୋଲି ସିବିଆଇ କହୁଛି ।

ସମ୍ବନ୍ଧିତ ଖବର