ତିରୁଅନନ୍ତପୁରମ୍: ଦେଶର ତିନିଟି ନୂଆ ଆପରାଧିକ ଆଇନ ‘ପାର୍ଟ ଟାଇମର୍‌’ଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି ବୋଲି କଂଗ୍ରେସ ସାଂସଦ ପି ଚିଦମ୍ବରମଙ୍କ ମନ୍ତବ୍ୟକୁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜି କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଏଭଳି ବୟାନ ଅକ୍ଷମଣୀୟ ଏବଂ ଅପମାନଜନକ। ଚିଦମ୍ବରମଙ୍କ ଭଳି ବରିଷ୍ଠ ନେତାଙ୍କ ମୁହଁରେ ଏହା ଅତ୍ୟନ୍ତ ଅଶୋଭନୀୟ ହୋଇଥିବାରୁ ସେ ଏହାକୁ ପ୍ରତ୍ୟାହାର କରିବା ଉଚିତ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ସେ କହିଛନ୍ତି ଯେ ସକାଳେ ଯେତେବେଳେ ଏକ ପ୍ରମୁଖ ଜାତୀୟ ଖବରକାଗଜରୁ ଚିଦମ୍ବରମଙ୍କ ଏହି ବୟାନ ପଢ଼ିଲେ ତାହା ତାଙ୍କୁ ବିସ୍ମିତ କରିଥିଲା। ଉପରାଷ୍ଟ୍ରପତି କହିଛନ୍ତି- ଆମେ ସଂସଦରେ ‘ପାର୍ଟ ଟାଇମର୍‌’ କି? ଏହା ସଂସଦ ପ୍ରତି ଅପମାନ ନୁହେଁକି ? ଏଭଳି ବୟାନକୁ ନିନ୍ଦା କରିବା ପାଇଁ ମୋ ପାଖରେ କଡ଼ା ଶବ୍ଦ ନାହିଁ।

Advertisment

ଧନଖଡ଼ କହିଛନ୍ତି, ଯେତେବେଳେ ସଚେତନ ମନ ଜାଣିଶୁଣି ଆପଣଙ୍କୁ ବିଭ୍ରାନ୍ତ କରିଦିଏ, ସେତେବେଳେ ଅଧିକ ସତର୍କ ରହିବାକୁ ପଡ଼ିବ। ଦେଶର ଅର୍ଥମନ୍ତ୍ରୀ ରହିଥିବା, ଦୀର୍ଘ ଦିନ ଧରି ସାଂସଦ ଥିବା ଏବଂ ବର୍ତ୍ତମାନ ରାଜ୍ୟସଭା ସଦସ୍ୟ ଥିବା ଏହି ନେତାଙ୍କ ଏଭଳି ବୟାନ ଅତ୍ୟନ୍ତ ଅରୁରିକର ବୋଲି ସେ କହିଛନ୍ତି। ଆମକୁ ଔପନିବେଶିକ ପରମ୍ପରାରୁ ମୁକ୍ତ କରି ଯୁଗାନ୍ତକାରୀ ଆଇନ ବ୍ୟବସ୍ଥା ଲାଗୁ ହେବା ଦ୍ବାରା ଏକ ମହାନ କାର୍ଯ୍ୟ ସଂପାଦନ ହୋଇଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି।