ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍‌ ଏ ବୋବ୍‌ଡେଙ୍କ କାର୍ଯ୍ୟକାଳ ସରିଲା

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଶରଦ୍ ଅରବିନ୍ଦ ବୋବ୍‌ଡେଙ୍କର କାର୍ଯ୍ୟକାଳ ଆଜି ଶେଷ ହୋଇଛି। ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଓ ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଆସନ୍ତାକାଲି ନୂତନ ପ୍ରଧାନବିଚାରପତି ଜଷ୍ଟିସ୍ ଏନ. ଭି. ରମନ୍ନା ଦେଶର ୪୮ତମ ପ୍ରଧାନବିଚାରପତି ଭାବେ ଶପଥ ଗ୍ରହଣ କରିବେ।

ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟର ବିଚାରପତି ରୂପେ ଜଷ୍ଟିସ୍ ବୋବ୍‌ଡେଙ୍କର ୨୦୧୩ ଏପ୍ରିଲ ୧୨ରେ କାର୍ଯ୍ୟଭାର ଗ୍ରହଣ କରିଥିବା ବେଳେ ସୁପ୍ରିମକୋର୍ଟର ୪୭ତମ ପ୍ରଧାନ ବିଚାରପତି ରୂପେ ସେ ନଭେମ୍ବର ୧୪, ୨୦୧୯ରେ ଦାୟିତ୍ୱ ନେଇଥିଲେ। ୧୪ ମାସର କାର୍ଯ୍ୟକାଳରେ ସେ କେବଳ ୯୦ ଦିନ ହିଁ  କୋର୍ଟରୁମରେ ଶୁଣାଣି କରିପାରିଥିଲେ ଏବଂ କରୋନା କଟକଣା ଯୋଗୁଁ ତାଙ୍କର କାର୍ଯ୍ୟକାଳର ଅଧିକତର ଶୁଣାଣି ଭିଡିଓ କନ୍‌ଫରେନ୍ସିଂ ଜରିଆରେ କରାଯାଇଥିଲା।

ପ୍ରଧାନ ବିଚାରପତି ରୂପେ ଜଷ୍ଟିସ୍ ବୋବ୍‌ଡେ ଓଡ଼ିଶା ସମ୍ପର୍କିତ କିଛି ମାମଲାର ଶୁଣାଣି  କରିଥିବା ବେଳେ କରୋନା କାଳରେ ଏକାଧିକ ସର୍ତ୍ତସହ କେବଳ ପୁରୀର ରଥଯାତ୍ରାକୁ ଅନୁମତି ପ୍ରଦାନ କରିବା ପରେ ସେ ସବୁଠାରୁ ଚର୍ଚ୍ଚାରେ ରହିଥିଲେ। ଜୁନ୍ ୧୮ରେ ଜଷ୍ଟିସ୍ ବୋବ୍‌ଡେ ରଥଯାତ୍ରାର ଆୟୋଜନ ଉପରେ ସ୍ଥଗିତାଦେଶ ଲଗାଇବା ନେଇ ଚର୍ଚ୍ଚାର ପରିସରକୁ ଆସିଥିଲେ। ପରବର୍ତ୍ତୀ ସମୟରେ ଏକାଧିକ କଟକଣା ସହ ରଥଯାତ୍ରାକୁ ଅନୁମତି ଦେଇଥିଲେ। କୋଭିଡ୍ ପରିଚାଳନାକୁ ନେଇ ଓଡ଼ିଶାକୁ ପ୍ରଂଶସା କରିବା ଭଳି  ରାୟ ଯୋଗୁଁ ଶିରୋନାମା ପାଲଟିଥିଲା ପ୍ରଧାନବିଚାରପତି । ସେହିଭଳି ଜଷ୍ଟିସ୍ ବୋଡ୍‌ଡେ ବିଚାରପତି ରୂପେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳବିବାଦର ସମାଧାନ ପାଇଁ ମାସକ ଭିତରେ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବହୁଚର୍ଚ୍ଚିତ ପାଟନାଗଡ଼ ପାର୍ସଲ ବୋମା ବିସ୍ପୋରଣକୁ ନେଇ ନିର୍ମାଣ କରାଯାଇଥିବା ଚଳଚ୍ଚିତ୍ର ‘ପାଟନାଗଡ଼’ ଉପରେ ରୋକ୍ ଲଗାଇବା ପାଇଁ ଜଷ୍ଟିସ୍ ବୋବ୍‌ଡେ ମନା କରିବା ସହିତ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ପତ୍ନୀଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଜର୍ମାନ୍ ଯୁବତୀଙ୍କୁ ବଳାତ୍କାର ମାମଲାରେ ଓଡ଼ିଶାର ପୂର୍ବତନ ଜିଡିପି (ହୋମଗାର୍ଡ) ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ର ମହାନ୍ତିଙ୍କୁ ଦୀର୍ଘ ଦିନର ନ୍ୟାୟିକ ପ୍ରକ୍ରିୟା ପରେ ବିଚାରପତି ବୋବ୍‌ଡେ ଜାମିନ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର