ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କୁ ଆଜି ଭିନ୍ନ ଅବତାରରେ ଦେଖିବାକୁ ମିଳିଛି। ସେ ଶୁଣାଣିରୁ କିଛି ସମୟର ଅବ୍ୟାହତି ନେଇ କୋର୍ଟ ପରିସରରେ ଭ୍ରମଣର ଆନନ୍ଦ ନେବା ସହ ସାଥି ବିଚାରପତିଙ୍କୁ ଧରି ସୁପ୍ରିମକୋର୍ଟ କାଫେଟାରିଆରେ ଜଳଯୋଗ କରିବା ଦେଖିବାକୁ ମିଳିଛି।
ବୁଧବାର ନିଜର ବ୍ୟସ୍ତ କାର୍ଯ୍ୟସୂଚୀରୁ ବିରତି ନେଇ ପ୍ରଧାନବିଚାରପତି ସୁପ୍ରିମକୋର୍ଟ ପରିସରରେ ବୁଲିବୁଲି କାମ ତଦାରଖ କରୁଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ସେ ଗଣମାଧ୍ୟମ କର୍ମୀଙ୍କ ସହ ଆଲୋଚନା କରିଥିଲେ ଏବଂ ପରେ ପ୍ରେସ ଲାଉଞ୍ଜ ପରିଦର୍ଶନ ପାଇଁ ସେମାନଙ୍କ ନିମନ୍ତ୍ରଣକୁ ଗ୍ରହଣ କରିଥିଲେ।
ଏକ ମାମଲାର ଶୁଣାଣି ଶେଷ ହେବା ପରେ ସୁପ୍ରିମକୋର୍ଟର ପାଞ୍ଚ ଜଣ ବିଚାରପତିଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ହଠାତ୍ ଏକ ବିରତି ନେବାକୁ ନିଷ୍ପତ୍ତି ନେଇଥିଲେ। ନିଜ ସାଥୀ ବିଚାରପତିଙ୍କ ସହ ପ୍ରଧାନ ବିଚାରପତି କୋର୍ଟରୁମରୁ ବାହାରି ପଦାକୁ ଆସି ଚାଲିଚାଲି ଅଦାଲତ ପରିସର ଭ୍ରମଣ କରିଥିଲେ । ଜଷ୍ଟିସ୍ ହୃଷୀକେଶ ରାୟ, ଜଷ୍ଟିସ୍ ପି.ଏସ୍. ନରସିଂହ, ଜଷ୍ଟିସ୍ ପଙ୍କଜ ମିତ୍ତଲ ଓ ଜଷ୍ଟିସ୍ ମନୋଜ ମିଶ୍ର ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ଙ୍କ ସହ ସାମିଲ ହୋଇଥିଲେ।
ସେମାନେ ପ୍ରଥମେ କାଫେଟେରିଆ ବୁଲିବା ସହ ସେଠାରେ ସିଙ୍ଗଡ଼ା ଖାଇବା ସହ କଫି ପିଇବାର ମଜା ନେଇଥିଲେ। ଏହା ପରେ ନୂଆ ଇଲେକ୍ଟ୍ରୋନିକ୍ ପାସର ସ୍ଥିତି ପରଖିବାକୁ ବାହାରିଥିଲେ। ସୁପ୍ରିମକୋର୍ଟ ପରିସରକୁ ପ୍ରବେଶ ପାଇଁ ଖୁବ୍ ଶୀଘ୍ର ଏହି ପାସ୍ ବାଧ୍ୟତାମୂଳକ ହେବ।
ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ନିଜ ଚାମ୍ବରକୁ ଫେରିବା ସମୟରେ ଗଣମାଧ୍ୟମ ସହ ଆଲୋଚନା କରିଥିଲେ।