ପ୍ରଧାନ ବିଚାରପତି ଦର୍ଶାଇଥିବା ନିୟମ ହେତୁ ସରକାରଙ୍କ ‘ସିବିଆଇ’ ମୁଖ୍ୟ ମନୋନୟରୁ ବାଦ ପଡ଼ିଲେ ଦୁଇ ପୁଲିସ ଅଧିକାରୀ

ନୂଆଦିଲ୍ଲୀ: ‘ସିବିଆଇ’ର ନୂତନ ମୁଖ୍ୟ ମନୋନୟନ କରିବା ଲାଗି ଗତ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭାରତର ପ୍ରଧାନ ବିଚାରପତି ଏନ୍‌.ଭି. ରମଣା ଗୋଟାଏ ନିୟମ ଉପରେ ଗୁରୁତ୍ବାରୋପ କରିବାରୁ ସରକାରୀ ମନୋନୟନରୁ ଅନ୍ୟୂନ ଦୁଇଟି ପସନ୍ଦ ବାଦ ପଡ଼ିଛି ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।

ବିଶେଷସୂତ୍ରରୁ ପ୍ରକାଶ ଯେ, ଆଲୋଚନା ସମୟରେ ପ୍ରଧାନ ବିଚାରପତି ରମଣା ଗୋଟାଏ ‘୬ ମାସିଆ ନିୟମ’ ଉତ୍ଥାପନ କରିଥିଲେ। ଏହି ନିୟମ ପୂର୍ବରୁ କେବେ ‘ସିବିଆଇ’ ମୁଖ୍ୟ ମନୋନୟନରେ ଲାଗୁ ହୋଇ ନ ଥିଲା।

ଜଷ୍ଟିସ୍‌ ରମଣା ଉପସ୍ଥାପନ କରିଥିବା ସୁପ୍ରିମ୍‌ କୋର୍ଟଙ୍କ ଗୋଟାଏ ରାୟ ଅନୁସାରେ, ଚାକିରିରୁ ଅବସର ଗ୍ରହଣ କରିବା ଲାଗି ୬ ମାସରୁ କମ୍‌ ଥିବା ଅଧିକାରୀମାନଙ୍କୁ ପୁଲିସ ମୁଖ୍ୟ ପଦବୀ ନିମନ୍ତେ ବିଚାରକୁ ନେବା ଅନୁଚିତ। ମନୋନୟନ କମିଟି ଏହି ଆଇନକୁ ପାଥେୟ କରିବା ଉଚିତ। ଏହାକୁ ତିନିଜଣିଆ କମିଟିର ଅନ୍ୟତମ ସଦସ୍ୟ ଅଧୀରରଞ୍ଜନ ଚୌଧୁରୀ ସମର୍ଥନ କରିଥିଲେ।

Adhir: Image Courtesy of India Today

ଏହି ନିୟମ ଯୋଗୁଁ, ଅଗଷ୍ଟ ୩୧ରେ ଅବସର ନେବାକୁ ଥିବା ‘ସୀମା ସୁରକ୍ଷା ବଳ’ର ମୁଖ୍ୟ ରାକେଶ ଆସ୍ଥାନା ଏବଂ ମେ ୩୧ରେ ଅବସର ଗ୍ରହଣ କରିବାକୁ ଥିବା ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ର ମୁଖ୍ୟ ୱାଇସି ମୋଦୀ ସରକାରଙ୍କ ସଂକ୍ଷିପ୍ତ ତାଲିକାରୁ ବାଦ ପଡ଼ିଥିଲା।

ସୂଚନାଯୋଗ୍ୟ, ପ୍ରଥମେ ଏହି ପଦବୀ ନିମନ୍ତେ ୧୦୯ଜଣ ନାମ ଆସିଥିଲା। ଗତକାଲି କମିଟି ବୈଠକ ପୂର୍ବରୁ ୧୬ଜଣଙ୍କ ନାମ ରଖି ବାକି ସମସ୍ତଙ୍କୁ ବାଦ ଦିଆଯାଇଥିଲା।

ଗତକାଲି ୯୦ ମିନିଟ୍‌ ଧରି ଅନୁଷ୍ଠିତ ଏହି ବୈଠକରେ ମୋଦୀଙ୍କ ଉଚ୍ଚସ୍ତରୀୟ ମନୋନୟନ କମିଟିର ସଦସ୍ୟ ପ୍ରଧାନ ବିଚାରପତି ରମଣା ଏବଂ ବିରୋଧୀ ନେତା ଅଧୀରରଞ୍ଜନ ଚୌଧୁରୀ ୩ଜଣଙ୍କୁ ମନୋନୀତ କରିଛନ୍ତି। ସେମାନେ ହେଉଛନ୍ତି ମହାରାଷ୍ଟ୍ରର ପୂର୍ବତନ ପୁଲିସ ମହାନିର୍ଦେଶକ ସୁବୋଧ କୁମାର ଜୟସ୍ବାଲ୍‌, ସଶସ୍ତ୍ର ସୀମା ବଳର ମହାନିର୍ଦେଶକ କେ‌.ଆର୍‌. ଚନ୍ଦ୍ର ଏବଂ ଗୃହ ମନ୍ତ୍ରାଳୟ ସ୍ବତନ୍ତ୍ର ସଚିବ ଭିଏସ୍‌କେ କ‌ୌମୁଦୀ। ସର୍ବବରିଷ୍ଠ ସୁବୋଧ ଜୟସ୍ବାଲ୍‌ ‘ସିବିଆଇ’ ମୁଖ୍ୟ ପଦବୀ ନିମନ୍ତେ ସର୍ବାଗ୍ରେ ଅଛନ୍ତି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର