ନୂଆଦିଲ୍ଲୀ: ଆଜି ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଅଦାଲତକୁ ଆସିବେ ନାହିଁ ବୋଲି ସୁପ୍ରିମ୍ କୋର୍ଟ ବିବୃତି ଜାରି କରିଛନ୍ତି।
ମଣିପୁରରେ ୨ଜଣ ମହିଳାଙ୍କୁ ଉଲଗ୍ନ କରି ବାଟ ଚଲାଯିବା ମାମଲା ସମେତ ଆଉ କେତେକ ଗୁରୁତ୍ବପୂର୍ଣ୍ଣ ମାମଲା ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠରେ ଶୁଣାଣି କରାଯିବାର ଥିଲା।
ଜାରି କରାଯାଇଥିବା ବିବୃତିରେ ଉଲ୍ଲେଖ ଅଛି: ଭାରତର ପ୍ରଧାନ ବିଚାରପତି ଆଜି ଅଦାଲତକୁ ଆସିବେ ନାହିଁ। ତେଣୁ, ୧ ନମ୍ବର କୋର୍ଟରେ ମାନ୍ୟବର ପ୍ରଧାନ ବିଚାରପତି ଏବଂ ବିଚାରପତି ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କୁ ବାତିଲ କରାଗଲା।
ଶୁଣାଣି ଲାଗି ଉକ୍ତ ଖଣ୍ଡପୀଠଙ୍କ ନିମନ୍ତେ ତାଲିକାଭୁକ୍ତ ହୋଇଥିବା ମାମଲାଗୁଡ଼ିକୁ ଉପରୋକ୍ତ କାରଣ ଯୋଗୁଁ ମୁଲତବୀ ରଖାଗଲା। କିନ୍ତୁ, ଅତ୍ୟନ୍ତ ଜରୁରୀ ଥିବା ମାମଲାଗୁଡ଼ିକୁ ସୁପ୍ରିମ୍ କୋର୍ଟର ସବୁଠୁ ବରିଷ୍ଠ ବିଚାରପତି ଏସ୍. କେ. କୌଲ୍ଙ୍କ ନେତୃତ୍ବାଧୀନ ଖଣ୍ଡପୀଠରେ ଶୁଣାଣି କରାଯାଇ ପାରିବ।
ସେହିପରି, ଜଣିକିଆ ଖଣ୍ଡପୀଠଙ୍କ ସହିତ ବିଚାରପତି ମନୋଜ ମିଶ୍ରା ‘ଚେମ୍ବର୍ ମ୍ୟାଟର୍’ ପରିଚାଳନା କରିବେ ବୋଲି ଉକ୍ତ ବିବୃତିରେ ଉଲ୍ଲେଖ ଅଛି।
ବୁଧବାର ଦିନ ମଧ୍ୟ ପ୍ରଧାନ ବିଚାରପତି ଅଦାଲତକୁ ଆସି ନ ଥିଲେ। ଅସୁସ୍ଥତା କାରଣରୁ ସେ ଅଦାଲତକୁ ଆସି ନ ଥିବା କଥା ଗଣମାଧ୍ୟମ ‘ମିଣ୍ଟ୍’ ରିପୋର୍ଟ କରିଛି।