ପ୍ରଧାନ ବିଚାରପତି ହିଁ ମାଷ୍ଟର ଅଫ୍‌ ରୋଷ୍ଟର

ମାମଲା ବାଣ୍ଟିବା ଦାୟିତ୍ୱ କେବଳ ତାଙ୍କର

ନୂଆଦିଲ୍ଲୀ: ସୁପି୍ରମ୍‌କୋର୍ଟଙ୍କ ନିକଟକୁ ଆସୁଥିବା ମାମଲାଗୁଡ଼ିକୁ କିଭଳି ଓ କେଉଁ ଖଣ୍ଡପୀଠକୁ ଆବଣ୍ଟନ କରାଯିବ, ତାହା ପ୍ରଧାନ ବିଚାରପତି ହିଁ ସ୍ଥିର କରିବେ। ଏହି ଦାୟିତ୍ୱ କେବଳ ତାଙ୍କର। ତାଙ୍କଠାରେ ଏହି କ୍ଷମତା ନ୍ୟସ୍ତ ରହିଆସିଛି ଓ ରହିବ ମଧ୍ୟ। କାରଣ ସେ ହିଁ ‘ମାଷ୍ଟର ଅଫ୍‌ ରୋଷ୍ଟର’। ପୂର୍ବତନ ଆଇନ ମନ୍ତ୍ରୀ ଶାନ୍ତି ଭୂଷଣଙ୍କ ପକ୍ଷରୁ ହୋଇଥିବା ଏକ ପିଟିସନ୍‌ର ଶୁଣାଣି କରି ସୁପ୍ରିମ୍‌କୋର୍ଟ ଶୁକ୍ରବାର ଏଭଳି ରାୟ ରଖିଛନ୍ତି। ଏହା ମଧ୍ୟ ଦର୍ଶାଇଛନ୍ତି ଯେ ସୁପ୍ରିମ୍‌କୋର୍ଟରେ ରହିଥିବା ୫ ଜଣ ବରିଷ୍ଠ ବିଚାରପତି ବା ‘କଲେଜିୟମ୍‌’ରେ ପ୍ରଧାନ ବିଚାରପତି ହେଉଛନ୍ତି ମୁଖ୍ୟ। ପ୍ରଧାନ ବିଚାରପତି ‘ପାଞ୍ଚଜଣ ବରିଷ୍ଠଙ୍କ ମଧ୍ୟରେ ପ୍ରମୁଖ’ ବୋଲି ପୁନଃ ସ୍ପଷ୍ଟ କରାଯାଇଛି।

ଶାନ୍ତି ଭୂଷଣ ନିଜ ଆବେଦନରେ ଯୁକ୍ତି ବାଢ଼ିଥିଲେ ଯେ ମାମଲାଗୁଡ଼ିକର ଆବଣ୍ଟନ ପାଇଁ ଯେଉଁ ବ୍ୟବସ୍ଥା ଚଳିଆସୁଛି, ତାହା ବଦଳିବା ଆବଶ୍ୟକ। ସୁପ୍ରିମ୍‌କୋର୍ଟରେ ଦିନକୁ ଦିନ ମାମଲା ସଂଖ୍ୟା ବଢୁଥିବାରୁ ମାମଲା ଆବଣ୍ଟନ ଦାୟିତ୍ୱ କଲେଜିୟମ୍‌କୁ ଦିଆଯିବା ଦରକାର। ଫଳରେ ମାମଲାଗୁଡ଼ିକର ଠିକ୍‌ ସମୟରେ ଫଇସଲା କରାଯାଇ ପାରିବ। ପ୍ରଧାନ ବିଚାରପତିଙ୍କୁ ଏଥିନିମନ୍ତେ ବିଶେଷ ଅଧିକାର ଦିଆଯିବା ଅନୁଚିତ। ବିଚାରପତି ଏ କେ ସିକ୍ରି ଓ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ଏହି ଯୁକ୍ତିକୁ ସିଧାସଳଖ ଭାବେ ଖଣ୍ଡନ କରି କହିଥିଲେ, ପୃଥକ୍‌ ପୃଥକ୍‌ ଖଣ୍ଡପୀଠକୁ ଆଜି ପର୍ଯ୍ୟନ୍ତ ପ୍ରଧାନ ବିଚାରପତି ମାମଲା ଆବଣ୍ଟନ କରିଆସୁଛନ୍ତି। ଏ ନେଇ କୌଣସି ବିବାଦ ଦେଖାଦେଇ ନାହିଁ। କାରଣ ସବୁଠୁ ବରିଷ୍ଠ ବିଚାରପତି ହୋଇଥିବା ଦୃଷ୍ଟିରୁ ଏହା ତାଙ୍କର ଅଧିକାର। ସମସ୍ତ ବିଚାରପତି ବି ଏହି ବ୍ୟବସ୍ଥାକୁ ମାନିଆସୁଛନ୍ତି। ତେଣୁ ଏହି ଧାରାକୁ କୌଣସି ପରିସ୍ଥିତିରେ ବଦଳାଇବା ନିଷ୍ପ୍ରୟୋଜନ ବୋଲି ଖଣ୍ଡପୀଠ କହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୭ ନଭେମ୍ବରରେ ଏଭଳି ଏକ ଅନୁରୂପ ଆବେଦନର ବିଚାର କରି ସୁପ୍ରିମ୍‌କୋର୍ଟ ହିଁ ମାଷ୍ଟର ଅଫ୍‌ ରୋଷ୍ଟର ବୋଲି କହିଥିଲେ। ଶାନ୍ତି ଭୂଷଣଙ୍କ ଆବେଦନରେ ଖଣ୍ଡପୀଠ ଆହୁରି ସ୍ପଷ୍ଟ କରିବାକୁ ଯାଇ କହିଛନ୍ତି ଯେ କୋର୍ଟ ଏବଂ ମାମଲାଗୁଡ଼ିକର ଯଥାବିଧି ପରିଚାଳନା କରିବା ହେଉଛି ପ୍ରଧାନ ବିଚାରପତିଙ୍କ ନୈତିକ ଦାୟିତ୍ୱ। ବିଚାରପତି ସିକ୍ରିଙ୍କ କହିବାନୁସାରେ ନ୍ୟାୟପାଳିକା ଉପରେ ଲୋକଙ୍କ ପ୍ରଗାଢ଼ ବିଶ୍ୱାସ ରହିଛି। ଯାହାକୁ ନେଇ ସେମାନେ ନ୍ୟାୟ ପାଇଁ ଏହାର ଦ୍ୱାରସ୍ଥ ହେଉଛନ୍ତି। ତେଣୁ ଏଭଳି କୌଣସି ପଦକ୍ଷେପ ନେବା ଉଚିତ ହେବନାହିଁ, ଯାହା ଦ୍ୱାରା ନ୍ୟାୟପାଳିକା ଉପରୁ ଲୋକଙ୍କ ଭରସା ଉଠିଯିବ। ସେହିଭଳି ସୁପ୍ରିମ୍‌କୋର୍ଟ ମଧ୍ୟ ନିଜସ୍ୱ ଏକ ପରମ୍ପରାକୁ ପାଥେୟ କରି ପରିଚାଳିତ ହେଉଛନ୍ତି। ସେହି ପରମ୍ପରା ଭାଙ୍ଗାଯିବା ଆଦୌ ସମୀଚୀନ ନୁହେଁ। ଶାନ୍ତି ଭୂଷଣଙ୍କ ଆବେଦନକୁ ଆଧାର କରି ଏପ୍ରିଲ୍‌ ୨୭ରେ ଶୁଣାଣି ଆରମ୍ଭ ହୋଇଥିଲା। କିନ୍ତୁ ସେହିଦିନ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ। ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ ସେହି ସମୟରେ ନିଜ ଯୁକ୍ତି ଉପସ୍ଥାପନ କରି କହିଥିଲେ କି ମାମଲାର ଆବଣ୍ଟନକୁ ନେଇ କୌଣସି ପରିବର୍ତ୍ତନ ହେବା ଉଚିତ ନୁହେଁ। ଚଳିତବର୍ଷ ଜାନୁଆରିରେ ମାମଲାଗୁଡ଼ିକର ଆବଣ୍ଟନକୁ ନେଇ ସୁପ୍ରିମ୍‌କୋର୍ଟରେ ବଡ଼ ବିବାଦ ଦେଖାଦେଇଥିଲା। ସୁପି୍ରମ୍‌କୋର୍ଟଙ୍କ ୪ ଜଣ ବରିଷ୍ଠ ବିଚାରପତି ଏକ ଖବରଦାତା ସମ୍ମିଳନୀ ଡକାଇ ମାମଲା ଆବଣ୍ଟନ ପ୍ରସଙ୍ଗ ଉଠାଇବା ସହ ବର୍ତ୍ତମାନର ପ୍ରଚଳିତ ବ୍ୟବସ୍ଥାକୁ ଭୁଲ ବୋଲି ଦର୍ଶାଇଥିଲେ। ସୁପି୍ରମ୍‌କୋର୍ଟ ଇତିହାସରେ ପୂର୍ବରୁ କେବେ ବି ଏଭଳି ସାମ୍ବାଦିକ ସମ୍ମିଳନୀ ଆହୂତ କରାଯାଇ ନ ଥିଲା। ତେଣୁ ଏହାକୁ ନେଇ ଦେଶବ୍ୟାପୀ ହଟଚମଟ ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର